ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆର୍ ଆଣ୍ଡ୍ ବି ବିଭାଗର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ମୟୂରଭଞ୍ଜ ଜିଲ୍ଲା ବାରିପଦା ଆର୍ ଆଣ୍ଡ୍ ବି ଡିଭିଜନ୍ ଅଧୀନ ବେତନଟୀ ସବଡିଭିଜନ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ ଅରବିନ୍ଦ ମହାନ୍ତି । ଭିଜିଲାନ୍ସ ପକ୍ଷରୁ ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ାଉ ଓ ତଲାସୀ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ତାଙ୍କ ନାମରେ ୨ଟି ବହୁତଳ କୋଠା, ୫ ଏକର ପରିମିତ ଅଞ୍ଚଳରେ ଏକ ଫାର୍ମ ହାଉସ୍, ୨୩ଟି ମୂଲ୍ୟବାନ ପ୍ଲଟ୍, ପ୍ରାୟ ୩୦୦ ଗ୍ରାମ୍ ସୁନା, ୧୦ ଲକ୍ଷ ୫୭ ହଜାର ୫୦୦ ଟଙ୍କା ନଗଦ, ୬୯ ଲକ୍ଷ ୬୯ ହଜାର ଟଙ୍କାର ଜମା ରାଶି ଏବଂ ଗୋଟିଏ ଚାରିଚକିଆ ଗାଡ଼ି ଥିବା ଜଣାପଡ଼ିଛି। ସେପଟେ ଆଜି ଭୁବନେଶ୍ୱର ବାଲିଅନ୍ତାସ୍ଥିତ ତାଙ୍କ ଘରେ ଭିଜିଲାନ୍ସ ତଲାସୀ ବେଳେ ଆଉ ୨ ଲକ୍ଷ ୫୦ ହଜାର ଟଙ୍କା ନଗଦ ଠାବ କରିଛି। ଫଳରେ ମୋଟ ନଗଦ ଟଙ୍କାର ପରିମାଣ ୧୦ ଲକ୍ଷ ୫୭ ହଜାର ୫୦୦ ଟଙ୍କା ହୋଇଛି। ଏତେ ପରିମାଣର ସମ୍ପତ୍ତିର ସନ୍ତୋଷଜନକ ହିସାବ କିମ୍ବା ଉତ୍ସ ଅରବିନ୍ଦ ମହାନ୍ତି ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

