spot_img

Latest Posts

କୋଚିଂ ବିଲ୍ଡିଂରେ ପଶିଲା ବର୍ଷା ଜଳ, ଏଥିରେ ବୁଡି ୩ ଛାତ୍ରଛାତ୍ରୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି। ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା ରାଓ ଆଇଏସ କୋଚିଂ ସେଣ୍ଟରରେ ପାଣି ପଶିଯିବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। କୋଚିଂ ବିଲ୍ଡିଂର ବେସମେଣ୍ଟ ଜଳମଗ୍ନ ହୋଇଯିବାରୁ ଏଥିରେ ୩ ଜଣ ଛାତ୍ରଛାତ୍ରୀ ବୁଡିଯାଇ ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ପୁରୁଣା ରାଜେନ୍ଦ୍ର ନଗରରେ ଥିବା ରାଓ ଆଇଏସ କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀମାନେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି । ଛାତ୍ରମାନେ ଶନିବାର ଦିନ ମଧ୍ୟ ଅଧ୍ୟୟନ କରିବାକୁ ଏଠାକୁ ଆସିଥିଲେ। ହଠାତ୍ ଏହି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶିଥିଲା । ଏହାପରେ ଜଳସ୍ତର ବୃଦ୍ଧି ପାଇଥିଲା । ଏଠାରେ ପଢୁଥିବା ଛାତ୍ରଛାତ୍ରୀମାନେ ଫସି ଯାଇଥିଲେ। ଚାହୁଁ ଚାହୁଁ ବେସମେଣ୍ଟରେ ୧୦ ଫୁଟରୁ ଅଧିକ ଉଚ୍ଚର ପାଣି ଛୁଇଁ ସାରିଥିଲା। ଡ୍ରେନ କିମ୍ବା ସ୍ବେରେଜ୍ ଫାଟିଯିବା ଫଳରେ ବେସମେଣ୍ଟକୁ ପାଣି ମାଡ଼ି ଆସିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଛାତ୍ରଛାତ୍ରୀ ମାନେ ଉପରକୁ ଆସିବାକୁ ସକ୍ଷମ ହୋଇନଥିଲେ।

ଦିଲ୍ଲୀ ପୋଲିସର ଡେପୁଟି କମିଶନର ଏମ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଜଣେ ବ୍ୟକ୍ତି ସନ୍ଧ୍ୟା ସାତଟାରେ ଆମକୁ ଫୋନ୍ କରି ଆମକୁ ଜଣାଇଥିଲେ। ସେ କହିଛନ୍ତି ଯେ କୋଚିଂ ପ୍ରତିଷ୍ଠାନର ତଳ ମହଲାରେ ପାଣି ପଶିଯାଇଛି, ଯେଉଁଠାରେ କିଛି ଛାତ୍ର ଫସି ରହିଥିଲେ। ବେସମେଣ୍ଟରେ ଥିବା ଏକ ଲାଇବ୍ରେରୀରେ କିଛି ପିଲା ଅଧ୍ୟୟନ କରୁଥିବା ବେଳେ ପାଣି ପଶିଯିବାରୁ ୩ ଜଣ ଛାତ୍ରଛାତ୍ରୀ ବୁଡିଯାଇ ମୃତ୍ୟୁ ହୋଇଛି। ଏବଂ ଅନେକ ଛାତ୍ରଛାତ୍ରୀ ଭାସି ମଧ୍ୟ ଯାଇଛନ୍ତି । ଖବର ପାଇ ଦିଲ୍ଲୀ ପୋଲିସ, ଅଗ୍ନିଶମ ବିଭାଗର ଏକ ଟିମ୍ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏବେ ବି ଅନେକ ଛାତ୍ରଛାତ୍ରୀ ନିଖୋଜ ରହିଛନ୍ତି।

ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି। ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କ ଦାୟିତ୍ବହୀନତା ଲାଗି ଏଭଳି ଘଟଣା ଘଟିଲା, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ସରକାରର ମନ୍ତ୍ରୀ ଆତିଶୀ ମାର୍ଲେନା କହିଛନ୍ତି।

Latest Posts

Don't Miss