ଆସନ୍ତା ୨ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ କମିପାରେ ରାତି ତାପମାତ୍ରା

ଭୁବନେଶ୍ବର: ଦିନରେ ତାତି ରାତିରେ ପଡିବ ଥଣ୍ଡା । ଆସନ୍ତା ୨ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତିର ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ବେଳେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଦିନର ତାପମାତ୍ରା ସ୍ବାଭାବିକ ଠାରୁ ସାମାନ୍ୟ ଉପରେ ରହିଲେ ମଧ୍ୟ ରାତିରେ ତାପମାତ୍ରା କମ୍ ରହିବ । ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମି ସ୍ବାଭାବିକ ତାପମାତ୍ରା ବା ସ୍ବାଭାବିକ ଶୀତ ଅନୁଭୁତ ହେବ । ଶୀତ ସହ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବ ।

ଦିନରେ ତାପମାତ୍ରା ଅଧିକ ରହୁଥିବାରୁ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଛି । ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଏବଂ କୋରାପୁଟ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କେନ୍ଦୁଝରରେ ସର୍ବନିମ୍ନ ୧୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।