ବିଶ୍ୱ ହକିର ଗ୍ଳୋବାଲ ସେଣ୍ଟର ଓଡ଼ିଶା: ୨୦୨୩ରେ ପୁଣି ବିଶ୍ୱକପ୍‌

ଭୁବନେଶ୍ୱର: ଓଡ଼ିଶାରେ ହେବ ୨୦୨୩ ପୁରୁଷ ବିଶ୍ୱକପ୍‌ ହକି । ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ । କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଘୋଷଣା କରିଛନ୍ତି । ଘୋଷଣା କରିସାରି ମୁଖ୍ୟମନ୍ତ୍ରୀ କହିଥିଲେ ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଚିରାଚରିତ ମନ୍ତବ୍ୟ ପରେ ଷ୍ଟାଡିୟମ୍‌ରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଥିଲା । ଏହି ଉତ୍ସବରେ ଭାରତୀୟ ହକି ଫେଡ୍‌ରେସନ୍‌ ସଭାପତି ନରିନ୍ଦର ବାତ୍ରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସୁନ୍ଦରଗଡ଼ରେ ୧୭ଟି ହକି ଟର୍ଫ ସହ ହାଇ ପରଫରମାନ୍ସ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଟର୍ଫ ଏବଂ ହାଇ ପରଫରମାନ୍ସ ସେଣ୍ଟର ଗୁଡ଼ିକର ନିର୍ମାଣ କାର୍ଯ୍ୟ ୧ ବର୍ଷ ମଧ୍ୟରେ ଶେଷ ହେବ ।

ଏଥର ହକି ବିଶ୍ୱକପ୍‌ ଆୟୋଜନ ପାଇଁ ମାଲେସିଆ, ବେଲ୍‌ଜିୟମ୍‌ ଓ ଭାରତ ଦାବିଦାର ଥିଲେ । ସିରିଜ୍‌ ବିଡିଂ ରାଉଣ୍ଡ ପରେ ଇଣ୍ଡିଆକୁ ବିଶ୍ୱକପ୍‌ ଆୟୋଜନ କରିବାର ଅଧିକାର ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଫେଡ୍‌ରେସନ୍‌କୁ ବିଶ୍ୱକପ୍‌ ଆୟୋଜନ ନେଇ ଏଥର ପୁଣି ପ୍ରସ୍ତାବ ଦେଇଥିଲେ । ଏହାପରେ ହକି ଇଣ୍ଡିଆ ଓଡ଼ିଶାକୁ ଭେନ୍ୟୁ ରୂପେ ବାଛିଚି । ଏହି ଘୋଷଣା ପରେ ଓଡ଼ିଶା ଯେ ବିଶ୍ୱ ହକିର ଏକ ଗ୍ଳୋବାଲ୍‌ ସେଣ୍ଟରେ ପରିଣତ ହୋଇଛି ତାହା ସ୍ପଷ୍ଟ ହୋଇଛି ।

ଭୁବନେଶ୍ୱରରେ ଗତଥର ହକି ବିଶ୍ୱକପ୍‌ ସଫଳତାର ସହିତ ଆୟୋଜିତ ହୋଇଥିବାରୁ ହକି ଇଣ୍ଡିଆର ଏହାର ଶ୍ରେୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିଲେ । ଅନ୍ୟ ଭେନ୍ୟୁଗୁଡ଼ିକ ଅପେକ୍ଷା ଓଡ଼ିଶା ହିଁ ସବୁଠୁ ଭଲ ଥିବାରୁ ହକି ଇଣ୍ଡଆ ଫେଡରେସନ୍‌ ପୁଣି ଥରେ ଓଡ଼ିଶା ମୁହାଁ ହୋଇଛି ।

Leave a Reply