ଆଜିଠୁ କମିବ ବର୍ଷାର ବିସ୍ତୃତି ଓ ପରିମାଣ

1 min read

ଭୁବନେଶ୍ୱର : ରାଜ୍ଯରେ ଦୁର୍ବଳ ହେଲା ଲଘୁଚାପ । ଆଜିଠୁ କମିବ ବର୍ଷାର ବିସ୍ତୃତି ଓ ପରିମାଣ । ତେବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିବ । ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି । ତେବେ ଦୁଇଦିନର ବ୍ରେକ ପରେ ପୁଣି ୪ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ।

୭ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ବଢିବ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି । ଅନ୍ଯପଟେ ଜୁନ ଶେଷ ସୁଦ୍ଧା ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଥିବା ବେଳେ ଓଡ଼ିଶାରେ କିନ୍ତୁ ସ୍ଥିତି ଅଲଗା । ଗୋଟିଏ ଜିଲ୍ଲାରେ ୬୭ ପ୍ରତିଶତ ନିଅଁଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୬ଟି ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଁଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଆଗକୁ ଆସୁଥିବା ଲଘୁଚାପ ପ୍ରଭାବରେ ବର୍ଷା ଭରଣା ହେବା ଆଶା କରାଯାଉଛି ।