ସାବାସ୍ ଆୟୁଷ! ପ୍ରଦୂଷଣ ରୋକିବାକୁ ବାହାର କଲେ ଏହି ଯନ୍ତ୍ର

ଅନୁଗୁଳ: ଭାରତ ବର୍ଷରେ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଜଙ୍ଗଲ ନଷ୍ଟ, କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ, ଯାନବାହନରୁ ନିର୍ଗତ କାର୍ବନ ଡାଇଅକସାଇଡ଼ ଧୂଆଁର ପରିମାଣ ମାତ୍ରାଧିକ ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହେଉଛି । ଯାନବାହନରୁ ବାହାରୁଥିବା ବିଷାକ୍ତ ଧୂଆଁକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି,  କିନ୍ତୁ କିଛି ଲାଭ ହେଉନାହିଁ।

ଆଉ ଏତିକି ବେଳେ ପ୍ରଦୂଷଣ ରୋକିବା ଦିଗରେ ଏକ ନୂଆ ଉପାୟ ବାହାର କରିଛନ୍ତି ଅନୁଗୋଳ ଜିଲ୍ଲାର ନବମ ଶ୍ରେଣୀ ଛାତ୍ର ଆୟୁଷ ବିଶ୍ୱାଳ । ନିଜ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କ ସହଯୋଗରେ ନିର୍ମାଣ କରିଛନ୍ତି ଇକୋ ପଲ୍ୟୁଟ୍ ଭେଇକିଲ ମ୍ୟୁଟ୍ ନାମକ ଏକ ଯନ୍ତ୍ରାଂଶ । ଯାହା ଗାଡ଼ିର ଇଂଜିନ୍ ଓ ପ୍ରଦୂଷଣ ମାତ୍ରାକୁ ପରଖି ପାରିବ । କେବଳ ପରଖିବ ନାହିଁ , ଅଧିକ ପ୍ରଦୂଷଣ ହେଲେ ଗାଡ଼ିକୁ ବନ୍ଦ କରିଦେବ ଏହି ଯନ୍ତ୍ରାଂଶ ।

ଅନୁଗୁଳ ଓଇଓ ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନମେଳାରେ ଆୟୁଷ ତାଙ୍କ ଇକୋ ପଲ୍ୟୁଟ୍ ଭେଇକିଲ ମ୍ୟୁଟ୍ ପ୍ରକଳ୍ପକୁ ପ୍ରଦର୍ଶିତ କରିଥିଲେ । ଏହା ଗାଡ଼ିର ଆଲୋକ ପ୍ରତିଫଳନକୁ ବ୍ୟବହାର କରି ଗାଡିର ଇଂଜିନ୍ ଓ ପ୍ରଦୂଷଣ ମାତ୍ରାକୁ ପରଖି  ପାରିବ ।

ଗାଡ଼ିରେ ଏହି ଯନ୍ତ୍ରାଂଶ ଲାଗିଲେ ଅତ୍ୟଧିକ ପ୍ରଦୂଷଣ କରୁଥିବା ଗାଡ଼ିର ଇଂଜିନ୍ ଆପେ ଆପେ ବନ୍ଦ ହୋଇଯିବ । ଏମିତିକି ଗାଡ଼ିର ବେଗ ବଢାଇ ପାରିବେ ନାହିଁ ଚାଳକ । ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟରେ ସତ ଫାଙ୍କି ପାରିବେ ନାହିଁ । ଗାଡିର ବୟସ ନୁହେଁ ଇଂଜିନର କାର୍ଯ୍ୟଦକ୍ଷତାକୁ ଦେଖି ଏହି ଯନ୍ତ୍ରାଂଶ ବ୍ୟବହାର କରାଯାଇ ପାରିବ । ଗାଡିରେ ‘ଇକୋ ପଲ୍ୟୁଟ୍ ଭେଇକିଲ ମ୍ୟୁଟ୍’  ଲାଗିଲେ ତୈଳ ସଂଚୟ ହୋଇପାରିବ ।  ଅଳ୍ପ ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ଏହି ପ୍ରକଳ୍ପକୁ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟକ୍ଷମ କରାଗଲେ ଏହି ପ୍ରକଳ୍ପ ତିଆରି ପଛର ଉଦ୍ଦେଶ୍ୟ ପ୍ରତିପାଦିତ ହୋଇପାରିବ ବୋଲି ଆଶା ରଖିଛନ୍ତି ଆୟୁଷ ଓ ତାଙ୍କ ବିଜ୍ଞାନ ଶିକ୍ଷକ ।

Leave a Reply