ରାଜ୍ୟରେ ଉଚ୍ଚ ଓ ମଧ୍ୟମ ଧରଣର ବନ୍ୟା ହୋଇଛି; ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ଓ ମଧ୍ୟମ ଧରଣର ବନ୍ୟା ହୋଇଥିବା ନେଇ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି, ଆସନ୍ତା ୪୮ ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଏସଆରସି । ବନ୍ୟାର ଏପରି ସ୍ଥିତି ୩ ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ । ସେଥିପାଇଁ ୧୦ ଜିଲ୍ଲାକୁ ସତର୍କ କରାଯାଇଛି । ବର୍ତ୍ତମାନ ୧୧ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ମୁଣ୍ଡଳୀରେ ଯାଉଛି ଯାହା ୧୨ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ । ପରବର୍ତ୍ତୀ ସମୟରେ ହୀରାକୁଦ ଡ୍ୟାମରୁ ଅଧିକ ଗେଟ ଖୋଲିବା ପରେ ବି ମୁଣ୍ଡଳୀ ଠାରେ ୯ ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପାସ କରାଇବା ପାଇଁ ଚେଷ୍ଟା କରାଯିବ । ଅପରାହ୍ନରେ ୩ଟାରେ ବୈଠକ ବସିବା ପରେ ହୀରାକୁଦର କେତେ ଗେଟ ଖୋଲିବ ସେ ନେଇ ନିଷ୍ପତ୍ତି ନିଆଯିବ ।

ପାଣି ସହିତ ନ ଖେଳିବା ସହ ପାଣି ପାଖରେ ସେଲଫି ନନେବାକୁ ବନ୍ୟା ଅଞ୍ଚଳର ଲୋକଙ୍କୁ ଅନୁରୋଧ କରିଛନ୍ତି ଏସଆରସି । ବନ୍ୟା ମୁକାବିଲା ଦାୟିତ୍ୱରେ ସରକାରୀ କର୍ମଚାରୀ ନିୟୋଜିତ ହୋଇପାରିବେ । ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଛି, ସେଥିପାଇଁ ଲୋକ ସତର୍କ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଏସଆସି । କେନ୍ଦ୍ରାପଡା, ଯାଜପୁର, ପୁରୀ, ଖୋର୍ଦ୍ଧା ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ଆଗାମୀ ୩ଦିନ ପର୍ଯ୍ୟନ୍ତ ଲୋକମାନେ ସହଯୋଗ କରନ୍ତୁ । ସୁରକ୍ଷା ପାଇଁ ଆବଶ୍ୟକସ୍ଥଳେ ବିଦ୍ୟୁତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଏଥିସହିତ ପଢ଼ନ୍ତୁ: ପ୍ରଣବଙ୍କ ପରିଦର୍ଶନ ପରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଦିଆଗଲା ସହାୟତା