ସାମାଜିକ, ଧାର୍ମିକ, ରାଜନୀତିକ, କ୍ରୀଡ଼ା ଆଦି କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି

Odisha SRC Issued Covid Guidelines For The Month Of April

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ଏପ୍ରିଲ୍ ମାସ ଲାଗି ଜାରି ହୋଇଛି କୋଭିଡ୍ ଗାଇଡଲାଇନ୍ । ଗାଇଡଲାଇନରେ ସର୍ଭେଲାନ୍ସ ଓ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାପାଳ, ମହାନଗର ନିଗମ କମିଶନର ସଂକ୍ରମଣକୁ ଦେଖି କଣ୍ଟେନମେଣ୍ଟ ଜୋନ୍ ନେଇ ନିଷ୍ପତ୍ତି ନେବେ ।

ଏଥିସହ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ମିଳିବ । ଘରକୁ ଘର ବୁଲି ସର୍ଭେ କରାଯିବ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୮୦ ପ୍ରତିଶତ ଲୋକଙ୍କୁ ୭୨ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନ୍ କରାଯିବ । ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଉପରେ ନଜର ରଖିବ ପ୍ରଶାସନ ।

ସାମାଜିକ, ଧାର୍ମିକ, ରାଜନୀତିକ, ଖେଳ, କ୍ରୀଡ଼ା ଆଦି କାର୍ଯ୍ୟକ୍ରମ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ହେବ । ବନ୍ଦ କୋଠରୀ ହେଉଥିବା କାର୍ଯ୍ୟକ୍ରମରେ ହଲ୍ କାପାସିଟିର ୫୦ ପ୍ରତିଶତ ଲୋକ ଭାଗ ନେଇପାରିବେ । ସଭାରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ପଡ଼ିବ । ଏଥିସହ ହ୍ୟାଣ୍ଡୱାସ କିମ୍ବା ସାନିଟାଇଜରର ବ୍ୟବସ୍ଥା ରହିବ । କୌଣସି ଉତ୍ସବ କିମ୍ବା ସମାବେଶ ଲାଗି ଜିଲ୍ଲାପାଳ କିମ୍ବା ମହାନଗର ନିଗମରୁ ଅନୁମତି ନେବାକୁ ପଡ଼ିବ । ପିପିଲିରେ ହେଉଥିବା ଉପନିର୍ବାଚନ ଲାଗି ସଭା, ସମିତି ଓ ସମାବେ ଲାଗି ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଅନୁମତି ଦେବେ । ଏଥିରେ ସର୍ବାଧିକ ୨୦୦ ଲୋକ କୋଭିଡ୍ ନିୟମ ମାନି ସାମିଲ୍ ହୋଇପାରିବେ ।

ଉତ୍କଳ ଦିବସ, ଗୁଡ୍ ଫ୍ରାଇଡେ, ରାମ ନବମୀ, ମହା ବିଷୁବ ସଂକ୍ରାନ୍ତି, ଝାମୁ ଯାତ୍ରା ଆଦି ଧାର୍ମିକ କାର୍ଯ୍ୟକ୍ରମରେ କୋଭିଡ୍ କଟକଣାକୁ ପାଳନ କରାଯିବ । ରାଜ୍ୟସାରା ଧାର୍ମିକ କାର୍ଯ୍ୟକ୍ରମରେ ଏକତ୍ରୀକରଣ ଉପରେ ରୋକ୍ ଲଗାଇଛନ୍ତି ଏସଆରସି । ଜିଲ୍ଲାପାଳ ଓ ମହାନଗର କମିଶନର ଧାର୍ମିକ ସ୍ଥଳରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ପ୍ରତିବନ୍ଧକ ଲଗାଇ ପାରିବେ । ଉତ୍କଳ ଦିବସରେ ରାଜ୍ୟବ୍ୟାପୀ ଏକାଧିକ ଲୋକଙ୍କୁ ନେଇ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସରକାରୀ ସ୍ତରରେ ଉତ୍କଳ ଦିବସ ପାଳନ କରାଯିବ । ବିବାହ ଉତ୍ସବରେ ସର୍ବାଧିକ ୨୦୦ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଜଣ ସାମିଲ୍ ହୋଇପାରିବେ ।

Leave a Reply