୫ ଦିନରେ ପଞ୍ଜିକରଣ କଲେଣି ୨୦୦୫ ଜଣ ବିଦ୍ୟାର୍ଥୀ ଓ ୮୨୬ ଜଣ କୋଚ୍

1 min read
Odisha Sports Department Talent Hunt

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଲାଗି କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କରାଯାଇଛି । ଯେଉଁଥିରେ ଯୁବବର୍ଗଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ୨୯ ଡିସେମ୍ବର ୨୦୨୧ରୁ ଆରମ୍ଭ ହୋଇଥିବା କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଜାନୁଆରୀ ୧୫ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ଲାଗି ବର୍ତ୍ତମାନ ସୁଦ୍ଧା ୨୦୦୫ ଜଣ ବିଦ୍ୟାର୍ଥୀ ଏବଂ ୮୨୬ ଜଣ କୋଚ୍ ନିଜର ନାମ ପଞ୍ଜିକରଣ କରିସାରିଛନ୍ତି ।

କ୍ରୀଡ଼ା ପ୍ରତି ଯୁବ ବର୍ଗଙ୍କ ମଧ୍ୟରେ ରୁଚି ଓ ବଢୁଥିବା ଆଗ୍ରହକୁ ଦେଖି ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ୧୦ ହଜାର ପାର କରିଯାଇଥିବ ବୋଲି ବିଭାଗ ଆଶା ରଖିଛି । କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତରେ ରାଜ୍ୟରୁ ଅଧିକ ମାତ୍ରାରେ କ୍ରୀଡ଼ା ତାରକା ସୃଷ୍ଟି ଲକ୍ଷ୍ୟରେ ବିଭାଗ ପକ୍ଷରୁ ୮ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣ ଆରମ୍ଭ ହୋଇଛି I କ୍ରୀଡ଼ା ପ୍ରତି ରୁଚି ରଖିଥିବା ବିଦ୍ୟାର୍ଥୀ ଏବଂ କୋଚ www.department.sportsodisha.gov.in ମାଧ୍ୟମରେ ନିଜର ନାମ ପଞ୍ଜିକରଣ କରିପାରିବେ ।

କ୍ରୀଡ଼ା ଶିକ୍ଷକ/ପ୍ରଶିକ୍ଷକ ମାନେ ନିଜ ନାମ ପଞ୍ଜିକରଣ କରାଇ ଓଡ଼ିଶା ପାଇଁ ଭବିଷ୍ୟତର କ୍ରୀଡ଼ା ତାରକା ଅନ୍ୱେଷଣ କରିବା କାର୍ଯ୍ୟରେ ସରକାରଙ୍କ ସହଭାଗୀ ହେବାକୁ ବିଭାଗ ନିବେଦନ କରିଛି । ବିଭିନ୍ନ ପର୍ଯ୍ୟାୟରେ ଉପଯୁକ୍ତ ପରୀକ୍ଷଣ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ଚୟନ କରାଯିବ । ଏହି ଚୟନ ପ୍ରକ୍ରିୟାରେ ଉତୀର୍ଣ୍ଣ ପ୍ରତିଭାମାନେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଛାତ୍ରାବାସ କିମ୍ବା ଛାତ୍ରାବାସ ବାହାରେ ରହି ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଶୃଙ୍ଖଳାରେ ପ୍ରଶିକ୍ଷଣ ଲାଭ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply