spot_img

Latest Posts

ଭାରତ-ଚୀନ୍‌ ସୀମାରେ ଦୁଇ ଓଡ଼ିଆ ସହିଦ ଯବାନଙ୍କ ପ୍ରତି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ସୀମାରେ ଥିବା ଲଦାଖ ଗଲୱାନ୍ ଘାଟିରେ ହୋଇଥିବା ସେନାର ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।

ଗତ କିଛି ଦିନ ଧରି ଭାରତ ଓ ଚୀନ୍‌ ମଧ୍ୟରେ ଲାଗିରହିଥିବା ତକ୍ତତା ଫଳରେ ମଙ୍ଗଳବାର ଭାରତର ପ୍ରାୟ ୨୦ ଜଣ ଯବାନ ସୀମାରେ ଲଢ଼େଇ କରି ସହିଦ ହୋଇଛନ୍ତି । ଏଥିରେ ଦୁଇ ଜଣ ଓଡ଼ିଆ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ରହିଛି । ତେବେ ଦୁଇ ଓଡ଼ିଆ ଯବାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍‌ ଜରିଆରେ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ସେ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଲଦାଖ ଗଲୱାନ୍ ଘାଟିରେ ହୋଇଥିବା ସେନାର ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ଶହୀଦ ଖବର ମୋତେ ବ୍ୟଥିତ କରିଛି । ଦୁହିଁଙ୍କ ଦେଶପ୍ରେମ ଓ ବଳିଦାନ ଚିର ସ୍ମରଣୀୟ ରହିବ। ଉଭୟ ବୀରଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି ।’

ଏହା ପୂର୍ବରୁ ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ୨୦ ଜଣ ସହିଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ସହିଦ ଯବାନ ମାନଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । 

ସୀମା ବିବାଦକୁ ନେଇ ଡିଏସ୍କାଲେସନ ପ୍ରକ୍ରିୟା ଅର୍ଥାତ ଆପୋଷ ବୁଝାମଣା ଚାଲିଥିବାବେଳେ ହଠାତ୍‌ ଚୀନ ଉତ୍ତ୍ୟକ୍ତ ହୋଇଉଠିଥିଲା । ସୋମବାର ରାତିରେ ଗଲୱାନା ଘାଟିର ପାଟ୍ରୋଲିଂ ପଏଣ୍ଟ-୧୪ ନିକଟରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ସେମାନଙ୍କ ଉପରକୁ ଚୀନ୍ ସୈନିକ ପଥର ମାଡ କରିଥିବା ଜଣାପଡିଛି । ଭାରତର ପାଲଟା ଆକ୍ରମଣରେ ୪୩ରୁ ଅଧିକ ଚୀନ୍ ସୈନିକ ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି । ତେବେ ଚୀନ୍ ଏହାକୁ ଆଧିକାରିକ ଭାବେ ଏପର୍ଯ୍ୟନ୍ତ ସ୍ୱୀକାର କରି ନାହିଁ । ନିଜ ନାଗରିକଙ୍କ ସାମ୍ନାରେ ଅପଦସ୍ତ ନହେବା ପାଇଁ ଚୀନ୍ ସୈନିକଙ୍କ ମୃତ୍ୟୁ ବାବଦରେ ସୂଚନା ଲୁଚାଉଛି ବୋଲି ମଧ୍ୟ କୁହାଯାଉଛି ।

Latest Posts

Don't Miss