ବଢ଼ିବନି ବିଦ୍ୟୁତ ଦର, ପୂର୍ବ ଦର ଅପରିବର୍ତ୍ତିତ ରଖିଲା OERC

ନନ୍ଦିଘୋଷ ବ୍ୟୁରୋ: ଏଥର ବଢ଼ିବନି ବିଜୁଳି ଦର। ତାରିଫ ଅର୍ଡର ଅପରିବର୍ତ୍ତିତ ରହିଲା ବୋଲି ଘୋଷଣା କରିଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ। ମାସିକ ୫୦ ୟୁନିଟ ମଧ୍ୟରେ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ୨ ଟଙ୍କା ୯୦ ପଇସା ୫୦ ୟୁନିଟରୁ ୨୦୦ ୟୁନିଟ ମଧ୍ୟରେ ୪ ଟଙ୍କା ୭୦ ପଇସା, ୨୦୦ ୟୁନିଟରୁ ୪୦୦ ୟୁନିଟ ମଧ୍ୟରେ ୫ ଟଙ୍କା ୭୦ ପଇସା ଓ ୪୦୦ ୟୁନିଟ ପରେ ୟୁନିଟ ପିଛା ମାସିକ ୬ ଟଙ୍କା ୧୦ ପଇସା ଧାର୍ଯ୍ୟ କରାଯାଇଛି। ଏପ୍ରିଲ ଏକ ତାରିଖରୁ ଏହି ଦର ଲାଗୁ କରାଯିବ। ସେପଟେ ଟାଟା ପାୱାରର ବିଦ୍ୟୁତ କିଣା ଅର୍ଥ ୟୁନିଟ ପିଛା ୩୨୦ ଟଙ୍କା ୯୫ ପଇସାରୁ ବୃଦ୍ଧି ପାଇ ୩୨୬ ଟଙ୍କା ୯୧ ପଇସାରେ ପହଞ୍ଚିଛି।
କୌଣସି ଉପଭୋକ୍ତା ଇ ବିଲ ପାଇଁ ଅପ୍ସନ ନେଲେ ତାଙ୍କୁ ବିଲ ପିଛା ୧୦ ଟଙ୍କା ରିହାତି ମିଳିବ। ପ୍ରିପେଡ଼ ମିଟର ସଂଯୋଗ ନେଇଥିବା ଉପଭୋକ୍ତାଙ୍କୁ ପ୍ରିପେଡ ଆମାଉଣ୍ଟ ଉପରେ ୪ ପ୍ରତିଶତ ରିହାତି ମିଳିବ। ସେହିପରି ଘରୋଇ ଓ ସିଙ୍ଗଲ ଫେଜ ଗ୍ରାହକଙ୍କ ପାଇଁ ଡିଜିଟାଲ ପେମେଂଟରେ ୪ ପ୍ରତିଶତ ରିହାତି ଜାରି ରହିବ। ସ୍ମାର୍ଟ ମିଟର ନେଇଥିବା ଉପଭୋକ୍ତା ଯେଉଁମାନେ ୧୦ କିଲୋୱାଟରୁ ଅଧିକ ବିଜୁଳି ବ୍ୟବହାର କରୁଛନ୍ତି ସେମାନେ ୟୁନିଟ ପିଛା ୨୦ ପଇସା ରିହାତି ପାଇବେ। ସୋଲାର ଆୱାର ସମୟରେ ଏହି ରିହାତି ମିଳିବ। କିନ୍ତୁ ଇରିଗେସନ, ପମପିଙ୍ଗ ଓ କୃଷି କ୍ଷେତ୍ର ପାଇଁ ପିକ ସମୟରେ ଗ୍ରାହକ ମାନେ ୟୁନିଟ ପିଛା ୩୦ ପଇସା ଟିଓଡି ସରଚାର୍ଜ ଦେବାକୁ ପଡିବ। ସକାଳ ଆଠଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସୋଲାର ଆୱାର ଭାବେ ଗଣାଯିବ। ୪ ଟାରୁ ସନ୍ଧ୍ୟା ୬ ଟା ଯାଏ ନର୍ମାଲ ଆୱାର ଓ ୬ ଟା ରୁ ରାତି ୧୨ ଟା ପିକ ଆୱାର ଗଣାଯିବ। ରାତି ୧୨ ଟା ରୁ ସକାଳ ୮ ଟା ଯାଏ ନର୍ମାଲ ଆୱାର ରୂପେ ଗଣାଯିବ। ଶିଳ୍ପ ଉପଭୋକ୍ତା ମାନେ ଯେଉଁମାନେ ଇଏଚଟି ଲେବଲର ସେମାନେ ୟୁନିଟ ପିଛା ୨୦ ପଇସା ରିହାତି ପାଇବେ।
୮୦ ପ୍ରତିଶତରୁ ଅଧିକ ଲୋଡ଼ ଫ୍ୟାକ୍ଟର ରେ ବ୍ୟବହୃତ ୟୁନିଟ ପିଛା ଏହି ରିହାତି ଲାଗୁ ହେବ। ୨ କିଲୋ ୱାଟ ମଧ୍ୟରେ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରାଯିବ। ସେହିପରି ଏଟିସି ଲସ ୧୮.୭୯ ପ୍ରତିଶତରୁ ୧୭.୩୩ ପ୍ରତିଶତକୁ କମିଛି। ରାଜ୍ୟର ବିଜୁଳି ଆଵଶ୍ୟକତା ପାଇଁ ଗ୍ରୀଡ଼କୋ ୪୧ ହଜାର ୩୨୧ ଏମୟୁ ଥିବାବେଳେ ଗ୍ରୀଡ଼କୋ ପାଖରେ ୪୮ ହଜାର ୩୧୮ ଏମୟୁ ଶକ୍ତି ଉପଲବ୍ଧ ରହିଛି। ସେହିପରି ବିଦ୍ୟୁତ ବିତରକ କମ୍ପାନୀ ଉପଭୋକ୍ତାଙ୍କୁ ୩୩ ହଜାର ୩୮୯ ଏମୟୁ ବିଜୁଳି ବିକ୍ରି କରୁଥିବା ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।