ଖାଦ୍ୟ ସୁରକ୍ଷା ଯୋଜନାର ସଫଳ ରୂପାୟନରେ ଓଡିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାର ସଫଳ ରୂପାୟନରେ ଓଡିଶା ଅଗ୍ରଣୀ ରାଜ୍ୟ ହୋଇଛି । ସଫଳତାର ସହ ରାଜ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟ ଗସ୍ତରେ ଆସିଥିବା ନେପାଳର ଏକ ଉଚ୍ଚସ୍ତରୀୟ ଷ୍ଟଡି ମିଶନ ଓଡିଶାରେ ଖାଦ୍ୟ ସୁରକ୍ଷା ଯୋଜନାର ସଫଳ ରୂପାୟନରେ ପ୍ରଭାବିତ ହୋଇଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଇଣ୍ଟରଆକ୍ଟିଭ ସେସନରେ ନେପାଳ ଷ୍ଟଡି ମିଶନର ସଦସ୍ୟମାନେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରୀ ନେଇ ଅଭିନବ ଶୈଳୀ ସଂପର୍କରେ ଅବଗତ ହୋଇଥିଲେ ।

କେହି ବି ଭୋକିଲା ଯେମିତି ନ ରହିବେ, ଏହା ରାଜ୍ୟ ସରକାର ନିଶ୍ଚିତ କରିଛନ୍ତି । ଏହା ହିଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଆଦର୍ଶ ବୋଲି ନେପାଳ ଟିମକୁ ସମ୍ବୋଧିତ କରି କହିଛନ୍ତି ମୁଖ୍ୟ ଶାସନ ସଚିବ । ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ, ମହିଳା ଓ ଶିଶୁ ବିକାଶ, କୃଷି ଓ କୃଷକ ସଶକ୍ତିକରଣ, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଓ ଅନ୍ୟାନ୍ୟ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରାଯାଇ ଯୋଜନାର ସଫଳ ରୂପାୟନ ହେଉଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ସହ ବୟସ୍କ, ଦିବ୍ୟାଙ୍ଗ ଓ ଅନାଥଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ବୋଲି ନେପାଳ ଟିମକୁ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ । ଏହି ଅବସରରେ ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ସଚିବ ବୀର ବିକ୍ରମ ଯାଦବ ଗତ ଦୁଇ ଦଶକରେ ଖାଦ୍ୟ ସୁରକ୍ଷା ପଥରେ ଓଡିଶାର ଯାତ୍ରା ସଂପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ ।