ମହିଳା ତହସିଲଦାର ଲାଞ୍ଚ ମାଗିବା ଘଟଣାରେ ନୂଆ ମୋଡ଼, ଅନ୍ୟ ମହିଳା ଜଣଙ୍କ କିଏ ?

TAHASILDAR

ମୟୂରଭଞ୍ଜ: ମୋରମ ବୋଝେଇ ଟ୍ରକ ଜବତ ବେଳେ ତହସିଲଦାର ଲାଞ୍ଚମାଗିବା ଘଟଣାରେ ଆସିଛି ନୂଆ ମୋଡ଼ । ଲାଞ୍ଚମାଗିବା ବେଳେ ତାଙ୍କ ସହ ଥିଲେ ଆଉ ଜଣେ ମହିଳା !

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାରେ ମୋରମ ବୋଝେଇ ଟ୍ରକ୍ ଜବତ ଓ ଟଙ୍କା ଆଦାୟ ଘଟଣାରେ ତତ୍କାଳୀନ ବେତନଟି ତହସିଲଦାର ଓ ମାଫିଆ ଲିଙ୍କ୍‌ ମାମଲାରେ ଆଉ ଜଣେ ମହିଳାଙ୍କୁ ନେଇ ଉଠିଛି ପ୍ରଶ୍ନ । ମୋରମ ଟ୍ରକ୍ ଜବତ ସମୟରେ ତତ୍କାଳୀନ ବେତନଟି ତହସିଲଦାର ଅନିଶା ଦାସଙ୍କ ସହିତ ସେଠାରେ ଆଉ ଜଣେ ମହିଳା ଉପସ୍ଥିତ ଥିଲେ । ମହିଳା ଜଣଙ୍କ ନିଜକୁ ଉପଜିଲ୍ଲାପାଳ ଭାବେ ପରିଚୟ ଦେଇଥିଲେ । ତେବେ ସେ ମହିଳା ଜଣଙ୍କ କିଏ ? ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ତିନି ଜଣ ହେଲେ ବାଲେଶ୍ୱର ଜିଲ୍ଲା ଡୁମୁଡା ଅଞ୍ଚଳର ଅଭିଜିତ ମୋହଲା, ବେତନଟିର ଶିବାଶିଷ ନାଥ ଓ ପ୍ରିୟବ୍ରତ ପଟ୍ଟନାୟକ । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଉପଜିଲ୍ଲାପାଳ ଭାବେ ପରିଚୟ ଦେଇଥିବା ମହିଳାଙ୍କ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ । ଏହାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ଗତ ୨୦ ତାରିଖରେ ଏକ ମୋରମ ବୋଝେଇ ଟ୍ରକ ଚାନ୍ଦିପୁର ଯାଉଥିଲା । ବୈଶିଙ୍ଗା ବଜାର ନିକଟରେ ଏକ କାର୍‌ରେ ଆସି ଅଭିଜିତ୍‌ ମୋହଲା ଓ ଶିବାଶିଷ ନାଥ ଟ୍ରକ୍‌କୁ ଅଟକାଇଥିଲେ । ଚାଲାଣ କାଟିବା ନାଁରେ ଡ୍ରାଇଭରଙ୍କଠାରୁ ଜବରଦସ୍ତ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥିଲେ । ୨୦ ହଜାର ଟଙ୍କା ଦାବି କରିବା ସହ ୬ ହଜାର ଟଙ୍କା ଛଡ଼ାଇ ନେଇଥିଲେ ।

ସେହି ସମୟରେ ବେତନଟୀ ତହସିଲଦାର ଅନିଶା ଦାସ ଓ ଜଣେ ମହିଳା ନିଜକୁ ଉପଜିଲ୍ଲାପାଳ ପରିଚୟ ଦେଇ ସେଠାରେ ପହଞ୍ଚିଥିଲେ । ଟ୍ରକ୍‌କୁ ଜବତ କରିବା ସହ ବୈଶିଙ୍ଗା ଥାନାକୁ ନେଇ ଯାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ମୂଲଚାଲ୍‌ । ଟ୍ରକ ମାଲିକ ଶ୍ରୀକାନ୍ତ ଦାସଙ୍କୁ, ଅଭିଜିତ ମୋହଲା ଫୋନ କରି ଲକ୍ଷେ ଟଙ୍କା ଦେଲେ କେସ୍‌ ରଫାଦଫା ହେବ ବୋଲି କହିଥିଲେ । ଏପରିକି ଏହି ଟଙ୍କା ତହସିଲଦାର ମାଗୁଛନ୍ତି ବୋଲି ସେ କହିଥିଲେ ।

ଯାହାର ଅଡିଓ ଟେପ୍ ପୋଲିସର ହସ୍ତଗତ ହେବା ପରେ ତଦନ୍ତ ଆଗକୁ ବଢିଛି । ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତହସିଲଦାର ଅନିଶା ଦାସଙ୍କୁ ପୋଲିସ ଜେରା କରିଛି । ଏହି ଘଟଣାରେ ତତ୍କାଳୀନ ତହସିଲଦାର ଅନିଶା ଦାସଙ୍କ ସଂପୃକ୍ତି ଥିବା ମୟୂରଭଞ୍ଜ ଏସ୍‌ପି କହିଛନ୍ତି । ତେବେ ଉପଜିଲ୍ଲାପାଳ ଭାବେ ପରିଚୟ ଦେଇଥିବା ମହିଳା ଜଣଙ୍କ କିଏ, ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ତେଣୁ ନାନା ପ୍ରଶ୍ନ ଉଠିଛି ।

Leave a Reply