କେନ୍ଦ୍ର ବଜେଟ୍କୁ ନେଇ ଓଡ଼ିଶା ଏମ୍ଏସ୍ଏମ୍ଇ ଶିଳ୍ପଙ୍କ ଆଶା

ନନ୍ଦିଘୋଷ ବ୍ୟୁରୋ: ଏମ୍ଏସ୍ଏମ୍ଇ ଶିଳ୍ପକୁ ସହଜ ଋଣ ପ୍ରଦାନ ପାଇଁ କେନ୍ଦ୍ର ବଜେଟ୍ରେ ଆସୁ ସ୍ବତନ୍ତ୍ର କର୍ପସ ପାଣ୍ଠି । ଏ ନେଇ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ଓଡ଼ିଶାର ଏମ୍ଏସ୍ଏମଇ ଶିଳ୍ପ ସଂଘ । ଓଡ଼ିଶାରେ ପ୍ରତିରକ୍ଷା ଓ ଏରୋସ୍ପେସ୍ କ୍ଲଷ୍ଟର ପ୍ରତିଷ୍ଠା କଲେ ଏମଏସଏମଇ ଶିଳ୍ପର ବ୍ୟାପକ ଅଭିବୃଦ୍ଧି ଘଟିବ । ଫଳରେ ରାଜ୍ୟରେ ଅଧିକରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେବା ସହ ଆର୍ଥିକ ବିକାଶ ତ୍ବରାନ୍ବିତ ହେବ ବୋଲି ସଂଘ ଦାବି କରିଛି ।

କେନ୍ଦ୍ର ବଜେଟ୍କୁ ନେଇ ଓଡ଼ିଶା ଏମ୍ଏସ୍ଏମ୍ଇ ଶିଳ୍ପଙ୍କ ଆଶା । ବିନା କୋଲାଟେରାଲ ସିକ୍ୟୁରିଟିରେ ବ୍ୟାଙ୍କ ଋଣ ପାଇବାରେ ବହୁ ଅସୁବିଧା ହେଉଛି । ଋଣ ପ୍ରଦାନ ପାଇଁ କେନ୍ଦ୍ର ବଜେଟ୍ରେ ଗୋଟିଏ ସ୍ବତନ୍ତ୍ର କର୍ପସ୍ ପାଣ୍ଠିର ବ୍ୟବସ୍ଥା କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି ଶିଳ୍ପ ସଂଘ । ଓଡ଼ିଶାରେ ଷ୍ଟିଲ୍ ଓ ଆଲୁମିନା ଉତ୍ପାଦନ ହେଉଛି । କିନ୍ତୁ ଭ୍ୟାଲୁ ଆଡିସନ ନ ହୋଇ ବାହାରକୁ ପଠାଇ ଦିଆଯାଉଛି । ଉତ୍ପାଦନ ପାଇଁ ରାଜ୍ୟର ଏମ୍ଏସ୍ଏମ୍ଇ ୟୁନିଟ ଆବଶ୍ୟକ କଞ୍ଚାମାଲ ପାଉନାହନ୍ତି ।

ଏହିଠାରେ ଭ୍ୟାଲୁ ଆଡିସନ କରାଯାଇ ନାଲକୋ ଓ ଷ୍ଟିଲ୍ ପ୍ଲାଣ୍ଟ୍ ଘରୋଇ ବଜାରରେ ଓଡ଼ିଶା ଏମ୍ଏସ୍ଏମଇ ଶିଳ୍ପଙ୍କୁ ଆବଶ୍ୟକ କଞ୍ଚାମାଲ ଯୋଗାନ୍ତୁ । ଓଡ଼ିଶାରେ ପ୍ରତିରକ୍ଷା ସଂରଜାମ, ରିଭଲଭର, ବନ୍ଧୁକ, ରେଳ ଓ୍ବାଗନ୍ କାରଖାନା, ଏରୋସ୍ପେସ୍ କମ୍ପାନୀ ପ୍ରତିଷ୍ଠା ପାଇଁ ବ୍ୟାପକ ସୁଯୋଗ ରହିଛି । ଏ କ୍ଷେତ୍ରରେ ବଡ଼ କ୍ଲଷ୍ଟର ପ୍ରତିଷ୍ଠା ହେଲେ ଡାଉନଷ୍ଟ୍ରିମ୍ ଶିଳ୍ପ ଏମ୍ଏସ୍ଏମ୍ଇ ଶିଳ୍ପମାନଙ୍କୁ କାମ ମିଳିବ । ଯାହାଯୋଗୁ ରୋଜଗାର ସୃଷ୍ଟି ହେବା ସହିତ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଶିଳ୍ପ ସଂଘ ଆଶା କରିଛି ।

ରାଜ୍ୟରେ କୃଷି ଶିଳ୍ପ ପାଇଁ ବହୁତ ସୁଯୋଗ ରହିଛି । ଓଡ଼ିଶାର ଚାଷୀ କେବଳ ଧାନ ଉପରେ ନିର୍ଭର ନ କରି ଅନ୍ୟ ଅର୍ଥକରୀ ଫସଲ କରିବା ଦରକାର । ଧାନର ଏମ୍ଏସ୍ପି ଧାର୍ଯ୍ୟ ହେଉଥିଲେ ବି ଚାଷୀର ଅଭାବ ଦୂର କରିପାରୁନି । ପନିପରିବା, ଡାଲି, ତୈଳବୀଜ ପାଇଁ ଅନ୍ୟରାଜ୍ୟ କିମ୍ବା ବିଦେଶରୁ ଆମଦାନୀ କରିବାକୁ ପଡ଼ୁଛି । ଧାନ ସଂଗ୍ରହ ନେଇ ଯେତେ ନିୟମ ରହିଲେ ବି ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ଓଡ଼ିଶାର ଚାଷୀ ଅନ୍ୟ ଫସଲ ନେଇ ଯେପରି ଆଗ୍ରହ ପ୍ରକାଶ କରିବେ ସେ ନେଇ କେନ୍ଦ୍ର ବଜେଟ୍ରେ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ନେଇ ବ୍ୟୟବରାଦ ହେବା ଦରକାର ।

ଓଡ଼ିଶାର ଏମ୍ଏସ୍ଏମ୍ଇ ଶିଳ୍ପ ଯେପରି ସୁବିଧାରେ ବିନା ସିକ୍ୟୁରିଟିରେ ଋଣ ବ୍ୟାଙ୍କରୁ ପାଇବେ ସେ ନେଇ କେନ୍ଦ୍ର ଓ ରାଜ୍ୟରେ ଥିବା ଡବଲ ଇଞ୍ଜିନ୍ ସରକାର ପ୍ରାୟ ୨୦ ହଜାର କୋଟିର ବ୍ୟୟ ବରାଦ ଆଣନ୍ତୁ । ଏହାସହିତ ବିପଣନ କ୍ଷେତ୍ରରେ ସ୍ଥାନୀୟ ଏମ୍ଏସ୍ଏମ୍ଇ ଶିଳ୍ପକୁ ଅଗ୍ରାଧିକାର ଦେବାକୁ ଶିଳ୍ପ ସଂଘ ଦାବି କରିଛି । ଗଲା ଅନ୍ତରୀଣ ବଜେଟ୍ରେ ଚଳିତ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୨ ହଜାର ୧୩୭ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ଏଥର ପୂର୍ଣ୍ଣାଙ୍ଗ ବଜେଟ୍ରେ ଏହି ପରିମାଣ ବଢିବା ଆଶା ରହିଛି ।