ଆସନ୍ତା ୨୪ଘଣ୍ଟାରେ ଆହୁରି ଘନୀଭୂତ ହେବ ଲଘୁଚାପ; ୨ଦିନ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ୨ ଦିନ ଯାଏ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଓ ୧୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରଣୀ ଓଡ଼ିଶାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବ । ଆଗକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଏହା ଅଧିକ ଘନୀଭୂତ ହୋଇ ୧୪ ତାରଖରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଫଳରେ ବର୍ଷା ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ସେପଟେ ରାଜ୍ୟରେ ୧ଜୁନରୁ ଆଜି ସୁଦ୍ଧା ୧୫ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ୧୧ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୮ ଜିଲାରେ ସ୍ୱାଭାବିକଠାରୁ କମ ଓ ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି।