‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ସାହସିକତାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ସହିତ ଦେଶ ଲଢ଼େଇ ଜାରି ରଖିଛି । ମହାମାରୀ କାଳରେ ବାତ୍ୟା ମୁକାବିଲା ନେଇ ପ୍ରଭାବିତ ରାଜ୍ୟଗୁଡ଼ିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୦ ଦିନ ମଧ୍ୟରେ ଦେଶ ଦୁଇଟି ବାତ୍ୟାର ସାମ୍ନା କରିଛି । ହେଲେ ଆମେ ଏହାର ମୁକାବିଲା କରିବାରେ ସଫଳ ହୋଇଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବାତ୍ୟା ମୁକାବିଲା କରିବାରେ ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କ ଅତି ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା । ଯାହାଫଳରେ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏଥର ବହୁତ କମ୍ ଲୋକଙ୍କ ଜୀବନ ଯାଇଛି ।

ପ୍ରଭାବିତ ରାଜ୍ୟ ଗୁଡ଼ିକର ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ୭୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର, ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ ସଫଳ ବାତ୍ୟା ମୁକାବିଲା ହୋଇପାରିଛି । ବାତ୍ୟାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି । କରୋନା ଦ୍ବିତୀୟ ଲହରରେ ଦେଶରେ ଅକ୍ସିଜେନର ଆବଶ୍ୟକତା ବଢ଼ିଯାଇଥିଲା । ଏଭଳି ସଙ୍କଟ ସ୍ଥିତିରେ ଅକ୍ସିଜେନ ପରିବହନ ଲାଗି ରେଳ ବିଭାଗ ସହଯୋଗର ହାତ ବଢ଼ାଇଥିଲା । ସଡ଼କ ପଥରେ ଯାଉଥିବା ଗାଡ଼ି ତୁଳନାରେ ଖୁବ୍ କମ୍ ସମୟରେ ଅକ୍ସିଜେନ ଏକ୍ସପ୍ରେସ୍ ଦେଶର ବିଭିନ୍ନ ସହରରେ ପହଞ୍ଚି ପାରିଥିଲା । ବିଦେଶରୁ ଅକ୍ସିଜେନ କନସେନଣ୍ଟେଟର ଆଣିବା ପାଇଁ ଜଳ, ସ୍ଥଳ ଓ ନୌସେନା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି । ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟକର୍ମୀମାନେ କାମ କରୁଛନ୍ତି । କରୋନା ସଂକ୍ରମିତଙ୍କ ସେବା କରୁଥିବା ସମସ୍ତ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply