ଡ୍ରଗ୍ସ କାରବାର ବୃଦ୍ଧି ଯୋଗୁଁ ବିଗୁଡୁଛି ରାଜ୍ଯର ଆଇନ ଶୃଙ୍ଖଳା
1 min read
ନନ୍ଦିଘୋଷ ବ୍ୟୁରୋ: କେଉଁଠି ଖଣ୍ଡା ବୁଲୁଛି ତ ଆଉ କେଉଁଠି ଗର୍ଜୁଛି ବନ୍ଧୁକ । ମୁଣ୍ଡ ଗଡ଼ିବା ପଛର ମୂଳ କାରଣ ପାଲଟିଛି ମଦ । ସେପଟେ ଦାମୀ ନିଶା କୋକେନ୍, ମାରିଜୁଆନା, ବ୍ରାଉନସୁଗର ହବ୍ ପାଲଟିଛି ଓଡିଶା । ବିଧାନସଭାରୁ ହସ୍ତଗତ ହୋଇଥିବା ଏହି ତଥ୍ୟ ଓଡିଶା ପୋଲିସ ଓ ଅବକାରୀ ବିଭାଗ ପାଇଁ ପାଲଟିଛି ମୁଣ୍ଡବିନ୍ଧା ।
ନିଶା କରୁଛି ନାଶ । ଯୁବପିଢ଼ିଙ୍କୁ କରୁଛି ଗ୍ରାସ । ଡ୍ରଗ୍ସ କାରବାର ପାଇଁ ଗଡୁଛି ମୁଣ୍ଡ । ବେଶ ଉଦବେଗଜନକ ସ୍ଥିତିରେ ପହଁଚିଛି ରାଜ୍ୟରେ ନିଶା କାରବାର । ବିଧାନସଭାରେ ବିଧାୟକ ଧୃବ ସାହୁ ପଚାରିଥିବା ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଶା ସେବନ ଓ କାରବାର ଜନିତ ଅପରାଧ ସମ୍ପର୍କରେ ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ । ଯାହାର ଉତ୍ତରରେ ୨୦୨୨ରେ ୧୮ ଶହ ୯୨ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୬ ଶହ ୩ ଜଣ ଗିରଫ ହୋଇଛନ୍ତି । ୧୧ ଶହ ୭୩ କେଜି ଗଞ୍ଜେଇ, ୫୦ କେଜି ରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଛି । ୨୦୨୩ ରେ ୧୮ ଶହ ୬୮ ଟି NDPS କେସ ରେ ୨୪ ଶହ ୧୦ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୧୮ଶହ ୧୧ କୁଇଣ୍ଟାଲ ଗଞ୍ଜେଇ ସହ ୧୭ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଛି । ସେହିପରି ଗତବର୍ଷ ବା ୨୦୨୪ରେ ୨୧ ଶହ ୬୦ NDPS କେସରେ ୨୨ ଶହ ୭୬ ଜଣଙ୍କୁ ଗିରଫ କରାଯାଇଛି । ୧୪ଶହ ୫୨ କୁଇଣ୍ଟାଲ ଗଞ୍ଜେଇ ସହ ୧୦ କେଜିରୁ ଉର୍ଦ୍ଧ୍ବ ଧଳାଜହର ଜବତ କରାଯାଇଛି ।
କେବଳ ଡ୍ରଗ୍ସ ନୁହେଁ, ଦାମୀ କୋକେନ୍, ମ୍ୟାରିଜୁଆନା ର କାରବାର ମଧ୍ୟ ବଢିଛି । ଭୁବନେଶ୍ୱର ବିମାନବନ୍ଦର ନେଇ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ବାହାର ଦେଶରୁ ଆସିବା ବେଳେ ଧରାପିଡ଼ିଛି । ସେହିପରି ଗତ ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ହତ୍ୟାକାଣ୍ଡର କାରଣ ଅତ୍ୟଧିକ ନିଶା ସେବନ ବୋଲି ଜଣାପଡିଛି । କିଛିଦିନ ତଳେ ରାଜଧାନୀ ରାଜରାସ୍ତାରେ ଘଟିଥିବା ସହଦେଵ ନାୟକ ହତ୍ୟାକାଣ୍ଡର ମୁଖ୍ୟ କାରଣ ବ୍ରାଉନସୁଗର ବେପାର ବୋଲି ଜାଣିବାକୁ ପାଇଥିଲା ପୋଲିସ । ରାତିରେ ହାତିଏ ପାଇବା ନିଶାରେ ଡ୍ରଗ୍ସ ବେପାରୀମାନେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଢାଲ କରି ନାମିଦାମୀ କଲେଜ ମାନଙ୍କରେ ଧଳାଜହର କାରବାର କରୁଛନ୍ତି । ଯେଉଁଥିରେ କବଳିତ ହୋଇ ପଥ ହୁଡୁଛନ୍ତି ଯୁବପିଢି ।
ସେପଟେ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ ନଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଶା କାରବାର ରେ ବ୍ୟବହୃତ ଗାଡିକୁ ତ୍ୱରିତ ପ୍ରକ୍ରିୟାରେ ବ୍ୟାଜାପ୍ତ କରି ନିଶା ମାଫିଆଙ୍କ ଛାତିରେ ଛନକା ପୁରାଇଛି ଓଡିଶା ପୋଲିସ ।