ଦେଶରେ ଦାରିଦ୍ର୍ୟ ହାର ହ୍ରାସରେ ଓଡ଼ିଶା ସବୁଠୁ ଆଗରେ

ଭୁବନେଶ୍ୱର: ରାଜ୍ୟରେ କମିଛି ଦାରିଦ୍ର୍ୟ । ଦେଶରେ ଦାରିଦ୍ର୍ୟ ହାର ହ୍ରାସରେ ସବୁଠୁ ଆଗରେ ରହିଛି ଓଡ଼ିଶା । କେବଳ ସେତିକି ନୁହେଁ, ପୁଞ୍ଜିନିବେଶ କାର୍ଯ୍ୟାନ୍ୱୟନ ହାରରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଆସୋଚାମ ରିପୋର୍ଟରେ ଏହି ତଥ୍ୟ ଆସିବା ପରେ ବିଜେଡି ବେଶ ଉତ୍ସାହିତ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯାହା ହାସଲ କରାଯାଇ ପାରିଛି, ତାହା ସାରା ଭାରତରେ ଉଦାହରଣ ସୃଷ୍ଟି କରିଛି ବୋଲି କହିଛି ବିଜେଡି । ଅନ୍ୟପକ୍ଷରେ ଏହାକୁ ନେଇ ବିରୋଧୀ କଂଗ୍ରେସ ଏବଂ ବିଜେପି ପ୍ରଶ୍ନ ଉଠାଇଛନ୍ତି ।

Odisha Is In 1st Position On Decreasing Poverty Percentage In India

ଦେଶରେ ପୁଣି ଓଡ଼ିଶା ସାଜିଲା ମଡେଲ । ଦାରିଦ୍ର୍ୟ କମାଇବାରେ ସବୁ ରାଜ୍ୟଠୁ ଆଗରେ । ପ୍ରକଳ୍ପ କାର୍ଯ୍ୟକାରିତାରେ ବି ଦେଶରେ ଆଗରେ । ଆସୋଚାମ ରିପୋର୍ଟ ଅନୁସାରେ ଗତ ଦଶନ୍ଧି ମଧ୍ୟରେ ରାଜ୍ୟର ଦାରିଦ୍ର୍ୟ ୨୪ ପ୍ରତିଶତ କମିଛି ।  ଫଳରେ ରାଜ୍ୟର ୮ ନିୟୁତରୁ ଅଧିକ ଲୋକ ଦାରିଦ୍ର୍ୟ ଶୃଙ୍ଖଳରୁ ମୁକ୍ତ ହୋଇ ପାରିଛନ୍ତି । ଯାହାକି ସମଗ୍ର ଦେଶରେ ସର୍ବାଧିକ । ଏଥିସହିତ ପ୍ରକଳ୍ପ କାର୍ଯ୍ୟକାରିତା ହାରରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ପାଇଥିବା ଆସୋଚାମ ରିପୋର୍ଟ ୨୦୧୭ରେ କୁହାଯାଇଛି । ବିଦ୍ୟୁତ୍ ସଂଯୋଗୀକରଣ, ଗ୍ରାମୀଣ ରାସ୍ତା, ଆବାସ, କୃଷକ ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ।

ଅନ୍ୟପକ୍ଷରେ ଆସୋଚାମ ରିପୋର୍ଟକୁ ନେଇ କଂଗ୍ରେସ ପ୍ରଶଂସା କରିବା ସହ କେତେକ କ୍ଷେତ୍ରରେ ଆସିଥିବା ତଥ୍ୟକୁ ନେଇ ଦଳ ସହମତି ପ୍ରକାଶ କରିନାହିଁ । ଦରଦାମ ବୃଦ୍ଧି ଯୋଗୁ ଲୋକଙ୍କ ଖର୍ଚ୍ଚ ବହୁଗୁଣା ହୋଇଥିବାବେଳେ ପୁରୁଣା ହିସାବ ଆଧାରରେ ଦାରିଦ୍ର୍ୟକୁ ଆକଳନ କରାଯାଇଥିବା କଂଗ୍ରେସ କହିଛି । ସେପଟେ ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ କଥା ଉଠାଇ ଓଡ଼ିଶାରେ ଦାରିଦ୍ର୍ୟ କମିନାହିଁ ବୋଲି କହିଛି ବିଜେପି ।

Odisha Is In 1st Position On Decreasing Poverty Percentage In India

୨୧ ବର୍ଷ ଧରି ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଆଜି ସାରା ଦେଶରେ ଓଡ଼ିଶାକୁ ସ୍ଵତନ୍ତ୍ର ପରିଚୟ ଦେଇଛି । ଆସୋଚାମ ରିପୋର୍ଟ ସରକାରଙ୍କ ଭାବମୂର୍ତ୍ତିକୁ ଆହୁରି ଉଜ୍ୱଳ କରିବ ବୋଲି ସରକାରୀ ଦଳ ଆଶା ରଖିଛି ।

Leave a Reply