ଫେବୃୟାରୀରେ ହେବ ସାଙ୍ଘାତିକ ଖରା, ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ରହିବ ପାରଦ

ନନ୍ଦିଘୋଷ ବ୍ୟୁରୋ: ଫେବୃୟାରୀରେ ହେବ ସାଙ୍ଘାତିକ ଖରା । ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ରହିବ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଅଧିକ ଜଳିବ ଉପକୂଳ ଓଡ଼ିଶା । ତାତି ସହ ଅସ୍ତବ୍ୟସ୍ତ କରିବ ଅସହ୍ୟ ଗୁଳୁଗୁଳି । ଦୀର୍ଘମିଆଦି ଆକଳନ ରେ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣପାଗ ବିଭାଗ । ବିଶେଷ କରି ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାତି ବୃଦ୍ଧି ପାଇଁ ୟଲୋ ମାର୍କ ଦିଆଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ଝାରସୁଗୁଡାର ତାତି ୩୫ ଡିଗ୍ରୀ ଛୁଇଁଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାତି ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି । ବିଶେଷ କରି ଝରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର,କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୁଳରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇବ । ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ଏବଂ କନ୍ଧମାଳରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ସେହିଭଳି ୩ ତାରିଖରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଯିବ । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ଘାଟିରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।