ସୁଦୃଢ ହେବ ସ୍ବାସ୍ଥ୍ୟ ବ୍ୟବସ୍ଥା; ଓଡ଼ିଶାରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର

1 min read

ଭୁବନେଶ୍ୱର: ରାଜ୍ୟରେ ଆହୁରି ସୁଦୃଢ ହେବ ସ୍ବାସ୍ଥ୍ୟ ବ୍ୟବସ୍ଥା । ଓଡ଼ିଶାରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର । ଏଥିପାଇଁ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପଞ୍ଜିକୃତ-ଜମି ହସ୍ତାନ୍ତର ସଭା । ଲୋକସେବା ଭବନରେ ଆୟୋଜିତ ବୈଠକରେ ଉନ୍ନତ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରାଯାଇଛି ।

ଏନସିଡିସିର ପ୍ରତିଷ୍ଠା ସ୍ବାସ୍ଥ୍ୟ ରୂପାନ୍ତରଣ ଦିଗରେ ଆଉ ଏକ ମାଇଲ ଖୁଣ୍ଟ ହେବ । ଏବେ ଆରଏମଆରସି, ଆଇଏଲଏସ୍, ଏମ୍ସ୍ ଆଦି କେନ୍ଦ୍ରୀୟ ଅନୁଷ୍ଠାନ ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହଭାଗିତାରେ କାର୍ଯ୍ୟ କରୁଛି । ଏନସିଡିସି ରାଜ୍ୟର ଜନସ୍ବାସ୍ଥ୍ୟ ସେବା ବଢାଇବାରେ ସହାୟକ ହେବ । ରୋଗ ନିରୀକ୍ଷଣ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏହା ରାଜ୍ୟର ଦକ୍ଷତାକୁ ବହୁଗୁଣିତ କରିବ ।

ଏହା ମାଧ୍ୟମରେ ରାଜ୍ୟରେ ସମନ୍ବିତ ରୋଗ ନିରୀକ୍ଷଣ, ମହାମାରୀ ପରବର୍ତ୍ତୀ ନିରୀକ୍ଷଣ, ପବ୍ଲିକ୍ ହେଲ୍ଥ୍ କ୍ଷେତ୍ରରେ ସୃଷ୍ଟି ହେଉଥିବା ନୂଆ ଆହ୍ବାନ, ବିଭିନ୍ନ ପ୍ରକାର ଭୁତାଣୁର ପୁନଃପୌନିକ ଦୃଶ୍ୟମାନତା ଆଦି କ୍ଷେତ୍ରରେ ପରୀକ୍ଷା କରାଯିବ । ଫଳରେ ଓଡ଼ିଶା ତଥା ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଦକ୍ଷତା ବୃଦ୍ଧି କରିବ । ଏନସିଡିସି ପ୍ରତିଷ୍ଠା ପାଇଁ ଭୁବନେଶ୍ବର ଅନ୍ଧାରୁଆ ମୌଜାରେ ୩ ଦଶମିକ ୧୨୫ ଏକର ଜମି ଚିହ୍ନଟ କରାଯାଇଥିଲା । ଏହାର ପଞ୍ଜୀକରଣ ଏବଂ ହସ୍ତାନ୍ତର କାର୍ଯ୍ୟ ସଂପନ୍ନ ହୋଇଛି ।