ସ୍ୱାସ୍ଥ୍ୟ ବିଭାଗର 5T ସମୀକ୍ଷା; ଏଣିକି ଜନ୍ମ ମୃତ୍ୟୁର ଇ-ପଞ୍ଜିକରଣ କରିବ ସ୍ୱାସ୍ଥ୍ୟ ବିଭାଗ
1 min readସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାତକୁ ଆସିବ ଜନ୍ମ ମୃତ୍ୟୁର ଇ-ପଞ୍ଜିକରଣ କାର୍ଯ୍ୟ । ପୂର୍ବରୁ ଏହା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିକଟରେ ଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ୫-ଟି ସମୀକ୍ଷା ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି । ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା । ଇ-ପଞ୍ଜିକରଣ ଲାଗି ଟିସିଏସ୍କୁ ବିସ୍ତୃତ ଯୋଜନା ପ୍ରସ୍ତୁତ ସହିତ ଇ-ମ୍ୟୁନିସିପାଲିଟି ସଫ୍ଟୱେର ଦେବା ପାଇଁ ବୈଠକରେ କୁହାଯାଇଛି ।
ପଞ୍ଜିକରଣ ନିମନ୍ତେ ୧୦୬ ଭିଏସ୍ କ୍ଲବକୁ ଶୀଘ୍ର ନିଯୁକ୍ତି ଦିଆଯିବ । ସେହିଭଳି ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାର ଗୁଣବତ୍ତା ସଂକ୍ରାନ୍ତରେ ଅନୁଧ୍ୟାନ ନିମନ୍ତେ ଏକ ନୂତନ ଏସ୍ଓପି ପ୍ରସ୍ତୁତ ହୋଇଛି । ଏଥିରେ ଅଧିକ ୮୪ଟି ୧୦୮ ଆମ୍ବୁଲାନ୍ସ ଚଳାଇବାର ବ୍ୟବସ୍ଥା କରାଯାଉଛି । ମୃତ ବ୍ୟକ୍ତିଙ୍କ ପରିବହନ ନିମନ୍ତେ ମହାପ୍ରୟାଣ ଯୋଜନାର ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ଅଣାଯାଇ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି ।
କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ସିଟି ହସ୍ପିଟାଲ କଟକ ଏବଂ ସିଟି ହସ୍ପିଟାଲ ବ୍ରହ୍ମପୁରରେ ଥିବା ସମସ୍ତ ଯନ୍ତ୍ରପାତିର ଯାଞ୍ଚ ସହିତ କଲ ସେଣ୍ଟର ବ୍ୟବସ୍ଥା ହୋଇଛି । ଅନ୍ୟ ସମସ୍ତ ସରକାରୀ ଡାକ୍ତରଖାନା ଗୁଡିକର ଯାଞ୍ଚ ଓ କଲ ସେଣ୍ଟର ବ୍ୟବସ୍ଥା ଚଳିତବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।
ବଡ ବଡ ସରକାରୀ ଡାକ୍ତରଖାନାରେ ମିଳୁଥିବା ସୁବିଧା ସୁଯୋଗରେ ଉନ୍ନତି ଆଣିବା ପାଇଁ ବିଭାଗ ତରଫରୁ ଗଠିତ ଏକ ଦଳ ମାଡ୍ରାସ ମେଡିକାଲ କଲେଜ, ସିଏମ୍ସି ଭେଲୋର, ନାରାୟଣ ହୃଦଳାୟ ବେଙ୍ଗଳୁରୁ ଯାଇଥିଲେ । ସେଠାରେ ପରୀକ୍ଷାଗାର, ସଫା ସୁତୁରା, ଖାଦ୍ୟ ଯୋଗାଣ ଏବଂ ଅନ୍ୟାନ୍ୟ ବିଶେଷଜ୍ଞ ସେବା ସମ୍ପର୍କରେ ଅନୁଧ୍ୟାନ କରି ଫେରିଛନ୍ତି । ନିର୍ମଳ, ନିଦାନର ରିପୋର୍ଟ ସଂଗ୍ରହ, ପ୍ରଶାସନିକ ବ୍ୟବସ୍ଥାର ପୁର୍ନଗଠନ, କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟ ଗ୍ରାଜୁଏଟ ପ୍ରତିଷ୍ଠାନ କରିବା ପାଇଁ ଆଲୋଚନା ହୋଇଛି ।
ବର୍ତ୍ତମାନ ସୁଦ୍ଧା ୧୦୪ କଲସେଣ୍ଟର ମାଧ୍ୟମରେ ୧୮,୪୪୮ ଟି ଫୋନ୍ କଲ ବିଭାଗ ତରଫରୁ କରାଯାଇଥିବା ବେଳେ ୭୧୨୪ ଟିରୁ ସଫଳତା ମିଳିଛି । ଡାକ୍ତରଖାନା ଗୁଡିକରେ ଥିବା ହେଲ୍ପ ଡେସ୍କକୁ ସ୍ୱାସ୍ଥ୍ୟ ମିତ୍ର / ଏସ୍ଏଚ୍ଜି ଗ୍ରୁପଙ୍କ ଦ୍ୱାରା ପରିଚାଳନା କରିବା ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ମିଶନ ଶକ୍ତି ନିର୍ଦ୍ଦେଶକଙ୍କୁ ପଠାଯାଇଛି । ସମୀକ୍ଷା ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ମେଡିକାଲ ନିଗମର ଏମ୍ଡି ୟାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ')}