ପୁଣି ଥରେ ସାମ୍ନାକୁ ଆସିଲା କେନ୍ଦ୍ରର ଅବହେଳା: ୪ ହଜାର ୬ଶହ କୋଟିରେ ପହଞ୍ଚିଲାଣି ଜିଏସ୍‌ଟି ବକେୟା

ଭୁବନେଶ୍ୱର: ପୁଣି ଥରେ ସାମ୍‌ନାକୁ ଆସିଛି ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା । ଗତ ୧୪ ମାସ ଧରି ଜିଏସ୍‌ଟି ବାବଦକୁ କେନ୍ଦ୍ର ବାକି ରଖିଛି ୪ ହଜାର ୬୦୦ କୋଟି । ଖାଲି ସେତିକି ନୁହେଁ, କେନ୍ଦ୍ର ଟିକସ, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦରେ ଚଳିତ ଆର୍ଥିକବର୍ଷର ପ୍ରଥମ କ୍ୱାର୍ଟରରେ ୨୬ ପ୍ରତିଶ୍ରତ କମ ଅର୍ଥ ମିଳିଛି । ସମ୍ବଳ ଅଭାବ ଦୂର କରିବାକୁ ନିଜସ୍ବ ଟିକସ ଓ ଖୋଲାବଜାରରୁ ଋଣ କରିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । କୋଇଲାରୁ ଆଦାୟ ହେଉଥିବା ଗ୍ରୀନ୍ ସେସ୍‌ ବାବଦ ଅର୍ଥ ଓଡ଼ିଶା ସମେତ କୋଇଲା ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ଆବଣ୍ଟନ ପାଇଁ ସଂସଦର ଆସନ୍ତା ମୌସୁମୀ ଅଧିବେଶନରେ ଜୋରଦାର ଦାବି କରିବ ବିଜେଡି

୨୦୨୦ ଏପ୍ରିଲରୁ ୨୦୨୧ ମେ  । କେନ୍ଦ୍ର ଉପରେ ବାକି ପଡ଼ିଛି ୪ ହଜାର ୫୯୯ କୋଟି ୬୦ ଲକ୍ଷ  ଜିଏସ୍‌ଟି। କେବେ ପାଇବ ଓଡ଼ିଶା ତା ନ୍ୟାଯ୍ୟ ହକ୍‌  ? କେନ୍ଦ୍ରୀୟ ଅବହେଳା ଏତିକିରେ ସୀମିତ ନାହିଁ । ପୂର୍ବାଞ୍ଚଳ ରାଜ୍ୟର ବିକାଶ ଉପରେ ଗୁରୁତ୍ୱ ଦେଉଥିବା ପ୍ରଚାର ଚଳାଇଥିବା ମୋଦି ସରକାର ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସିକ ଶେଷସୁଦ୍ଧା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଓ କେନ୍ଦ୍ରୀୟ ଟିକସ ଅଂଶ ବାବଦରେ ଓଡ଼ିଶାକୁ ୨୬ ପ୍ରତିଶତ କମ୍ ଅର୍ଥ ଦେଇଛନ୍ତି । କରୋନା ମହାମାରୀ ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରକୁ ଛାଡ଼ି ଅନ୍ୟସବୁ କ୍ଷେତ୍ରରେ କେନ୍ଦ୍ର ସରକାର ଖର୍ଚ୍ଚକାଟ ନୀତି ଆପଣାଇଛନ୍ତି । ଅନ୍ୟପଟେ କେନ୍ଦ୍ର ଅର୍ଥକୁ ଅପେକ୍ଷା ନକରି ରାଜ୍ୟର ବିକାଶ ପାଇଁ ଓଡ଼ିଶା ସରକାର ନିଜସ୍ବ ଟିକସ ଓ ଅଣଟିକସ ଆଦାୟ ଉପରେ ଜୋର ଦେଇଛନ୍ତି । ଏପରିକି ଖୋଲାବଜାରରୁ ମୋଟ ଜିଏସଡିପିର ଶୂନ ଦଶମିକ ୫ ପ୍ରତିଶତ ଅତିରିକ୍ତ ଋଣ କରି ସମ୍ବଳ ସଂଗ୍ରହ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି  । ଏ ନେଇ ଗତମାସ ୨୫ ତାରିଖରେ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସବୁ ବିଭାଗକୁ ଚିଠି ଲେଖିଛନ୍ତି । ସେପଟେ ଚଳିତ ଆର୍ଥିକବର୍ଷ ଜୁନ୍ ସୁଦ୍ଧା ଖଣି ରାଜସ୍ବ ବାବଦରେ ରାଜ୍ୟ ସରକାର ୩ ହଜାର ୫୬୭ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଏପରିକି ଆର୍ଥିକ ସୁପରିଚାଳନା ଯୋଗୁ କେନ୍ଦ୍ରୀୟ ଅବହେଳା ସତ୍ତ୍ବେ ରାଜସ୍ବ ସଂଗ୍ରହରେ ୨୩ ଦଶମିକ ୨ ପ୍ରତିଶତ ଅଭିବୃଦ୍ଧି ଘଟିଛି । କେନ୍ଦ୍ର ସରକାରଙ୍କ ଅବହେଳା ନେଇ ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଦାବି ଉଠିବ । ଏହାସହିତ କୋଇଲା ଉପରେ ଆଦାୟ ହେଉଥିବା ଗ୍ରୀନ୍ ସେସ୍ ଅର୍ଥର ସିଂହଭାଗ ଓଡ଼ିଶାକୁ ଦେବାକୁ ମଧ୍ୟ ଦୃଢ଼ ସ୍ବର ଉଠାଯିବ ବୋଲି ବିଜେଡି ସାଂସଦ କହିଛନ୍ତି ।

ବିଜେଡିର ଦାବିକୁ ସମର୍ଥନ କରିଛି କଂଗ୍ରେସ । ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଜିଏସ୍‌ଟି କ୍ଷତିଭରଣା ଓ କୋଇଲା ଉପରେ ଗ୍ରୀନ୍‌ ସେସ୍‌ ନ ମିଳିବାରୁ ରାଜ୍ୟର କେତେ କ୍ଷତି ହୋଇଛି, ସେନେଇ ରାଜ୍ୟ ସରକାର ତୁରନ୍ତ ଶ୍ୱେତପତ୍ର ଜାରି କରନ୍ତୁ । କେନ୍ଦ୍ର ସରକାର ରାଜ୍ୟର ନ୍ୟାଯ୍ୟ ଅଧିକାରକୁ ଅଣଦେଖା କରିଚାଲିଛନ୍ତି । କିନ୍ତୁ ବିଜେଡି ଓ କଂଗ୍ରେସର ଦାବିକୁ ଖଣ୍ଡନ କରିଛି ବିଜେପି  । ରାଜ୍ୟକୁ ଅର୍ଥ ଦେବାରେ କେନ୍ଦ୍ର ଟାଳଟୁଳ ନୀତି ଧରିଛି । ୟାସ୍‌ ବାତ୍ୟାର କ୍ଷତି ପାଇଁ କେନ୍ଦ୍ର ସହାୟତାକୁ ନା କରିଛନ୍ତି ରାଜ୍ୟ ସରକାର । କରୋନା ସମୟରେ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି । କିନ୍ତୁ ଲୋକଙ୍କୁ କିପରି ରୋଜଗାର ମିଳିବ ଓ ବଜାର ଚଳଚଞ୍ଚଳ ହେବ, ସେଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଡାକ୍ତରଙ୍କ ତାଲିମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Leave a Reply