ନବ ଦାସଙ୍କୁ ଗୁଳିମାଡ଼ ଘଟଣା; ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ଚିଠି

ଭୁବନେଶ୍ୱର: ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣା । ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର । ଗୃହ ବିଭାଗ ହାଇକୋର୍ଟ ରେଡିଷ୍ଟ୍ରାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ, ତଦନ୍ତର ତଦାରଖ ଦାୟୀତ୍ବ ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଜଣେ ଅବରସରପ୍ରାପ୍ତ ବିଚାରପତି ଅବା ଜଣେ ଜିଲ୍ଲା ଜଜଙ୍କୁ ତଦନ୍ତର ତଦାରଖ ଦାୟିତ୍ବ ପ୍ରଦାନ କରାଯାଉ । ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସଂପୃକ୍ତି ରହିଛି । ଏଣୁ ତଦନ୍ତରେ ସର୍ବୋଚ୍ଚ ସ୍ବଚ୍ଛତା ଆଣିବା ଆବଶ୍ୟକ ।

ତେଣୁ ଏ କ୍ଷେତ୍ରରେ ରାଜ୍ୟ ସରକାର ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସେପଟେ ମାମଲାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରାଯାଉଛି । ସୂଚନାଥାଉକି ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ ସଭାରେ ଯୋଗ ଦେବାକୁ ଯିବା ସମୟରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳକୃଷ୍ଣ ଦାସ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା ।