ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଓଡ଼ିଶା ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ । ଓଡ଼ିଶାରେ ପ୍ରତି ବର୍ଷ ବାତ୍ୟା, ବନ୍ୟା, ମରୁଡ଼ି ଓ ପୋକ କାରଣରୁ ୭୦ ପ୍ରତିଶତରୁ ଅଧିକ ଚାଷୀ କ୍ଷତି ସହୁଛନ୍ତି । ରାଜ୍ୟ କୃଷି ବିଭାଗ ଓ ଅନ୍ତଃରାଷ୍ଟ୍ରୀୟ ଖାଦ୍ୟନୀତି ଗବେଷଣା ସଂସ୍ଥାର ମିଳିତ ସହଯୋଗରେ ଭୁବନେଶ୍ବରଠାରେ ନୀତିନର୍ଦ୍ଧାରଣ ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଚାଷୀର ଆୟ ବଢି ପାରୁ ନଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି ।

ଅନ୍ତଃରାଷ୍ଟ୍ରୀୟ ଖାଦ୍ୟନୀତି ଗବେଷଣା ସଂସ୍ଥାର ରିପୋର୍ଟକୁ ନେଇ ଚିନ୍ତା ପ୍ରକଟ । ଚାଷୀ ପିଛା ମାତ୍ର ୦ ଦଶମିକ ୯୫ ହେକ୍ଟର ଫାର୍ମ ହୋଲଡିଂ ରହିବାରୁ ସେମାନଙ୍କ ଆୟ ପ୍ରଭାବିତ ହେଉଛି । ଚାଷୀଙ୍କୁ ସଠିକ୍ ମୂଲଚାଲ କ୍ଷମତା ମିଳୁନ ଥିବାବେଳେ ଉତ୍ପାଦିତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଠିକ୍ ଭାବେ ବଢୁନି। ଆୟ ବୃଦ୍ଧି ଲାଗି ଚାଷୀଙ୍କ ଋଣ ନେବା କ୍ଷମତା ବୃଦ୍ଧି ନେଇ ବ୍ୟାଙ୍କମାନଙ୍କ ସହ ଆଲୋଚନା ହୋଇଛି । ବିମୁଦ୍ରୀକରଣ ସମୟରେ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ହିଁ ଚାଷୀଙ୍କ ଦୁର୍ଗତିର କାରଣ ବୋଲି ଅଭିଯୋଗ କରିଛନ୍ତି କୃଷିମନ୍ତ୍ରୀ । ତେବେ ନୀତିନର୍ଦ୍ଧାରଣ ରାଉଣ୍ଡ ଟେବୁଲ ବୈଠକର ମତାମତକୁ ନେଇ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଦିଗରେ କାମ ଆରମ୍ଭ କରାଯିବ ।