ବିଧାନସଭାରେ ସରକାରଙ୍କୁ ଘେରିଲେ ଦୁଇ ବିରୋଧୀ

1 min read

ଭୁବନେଶ୍ବର: ଆଜି ଓଡ଼ିଶା ବିଧାନସଭା ବଜେଟ ଅଧିବେଶନରେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଲଘୁ ଖଣିଜ ପଦାର୍ଥ ଦୁର୍ନୀତିକୁ ନେଇ ବିଜେଡି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ସେହିପରି ନାରୀ ନିର୍ଯାତନାକୁ ନେଇ କଂଗ୍ରେସ ନୀରବ ପ୍ରତିବାଦ ଜଣାଇଛି ।

ଆଜି ଶୂନ୍ୟକାଳରେ ବିଜେଡି ବିଧାୟକ ଗଣେଶ୍ବର ବେହେରା ଲଘୁ ଖଣିଜ ପଦାର୍ଥ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, ଦୁର୍ନୀତିରେ ରାଜ୍ୟ ଶୂନ୍ୟ ସହନଶୀଳତା ପରିବର୍ତ୍ତେ ପୂର୍ଣ୍ଣ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି l ରତ୍ନଗର୍ଭା ଓଡିଶାକୁ ଲୁଟ ଚାଲିଛି । ଏହି ଲୁଟରେ ଶାସକ ଦଳର ସଦସ୍ୟ ସାମିଲ ଅଛନ୍ତି । ସରକାର ଏହି ଖଣି ଲୁଟକୁ ସ୍ୱୀକାର କରିବେ କି ? ଦୁର୍ନୀତି ବିରୋଧରେ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ଟାସ୍କଫୋର୍ସ ଗଠନ କରିବା ନେଇ ଉତ୍ତର ରଖିବାକୁ ଗଣେଶ୍ବର ଦାବି କରିଥିଲେ ।

ସେହିପରି ବାଲି ଚୋରମାନେ ବିଧାନସଭା କମିଟି ସହ ବୁଲୁଥିବା ଗୃହରେ ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ସଞ୍ଜୀବ ମଲ୍ଲିକ । ବାଲି ଚୋରି ଦେଖିବାକୁ ଗୃହ କମିଟି ଯାଇଥିଲା । ହେଲେ ଆଶ୍ଚର୍ଯ୍ୟର କଥା ହେଲା, ବାଲି ଚୋରି କରୁଥିବା ମାଫିଆମାନେ କମିଟି ସହ ବୁଲୁଥିଲେ । ତେଣୁ ସରକାର ଏହା ଉପରେ ଗୁରୁତ୍ବ ଦେଇ ବାଲି ବନ୍ଦ କରିବାକୁ ଶୂନ୍ଯକାଳରେ ଦାବି କରିଥିଲେ ସଞ୍ଜୟ ।

ସେପଟେ ବିଧାନସଭାରେ ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସର ନୀରବ ପ୍ରତିବାଦ ଜାରି ରହିଛି । ନିଜ ନିଜ ଆସନରେ ଛିଡ଼ା ହୋଇ କଂଗ୍ରେସ ବିଧାୟକମାନେ ନୀରବ ପ୍ରତିବାଦ କରିଛନ୍ତି । ମୁହଁରେ କଂଗ୍ରେସ ସଦସ୍ଯ କଳା ପଟି ବାନ୍ଧି ପ୍ରତିବାଦ କରୁଛନ୍ତି । କଂଗ୍ରେସ ବିଧାୟକ ଦଳ ଉପନେତା ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ହୋଲିରେ ୯ରୁ ଅଧିକ ମୁଣ୍ଡ ଗଡିଛି । ହୋଲିରେ ବି ମଦ ବେପାର ହୋଇଛି । ରାଜ୍ୟରେ ମହିଳାମାନେ ଅସୁରକ୍ଷିତ । ୮ ମାସରେ ୧୮୦୧ ନାରୀ ନିର୍ଯାତନାର ଶିକାର ହୋଇଛନ୍ତି । ୫୪ ଜଣଙ୍କ ଗଣ ଦୁଷ୍କର୍ମ ହୋଇଛନ୍ତି । ସରକାର ମହିଳାଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ଦଳ ଦାବି କରିଛି । ନାରୀ ନିର୍ଯାତନା ନେଇ ଗୃହ କମିଟି ଗଠନ କରାଯାଉ ବୋଲି କଂଗ୍ରେସ ଦାବି କରିଛି । ଶୂନ୍ୟକାଳରେ ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ରାଜେନ ଏକ୍କା । ଆଦିବାସୀ ହଷ୍ଟେଲରେ ନାବାଳିକାମାନେ ଗର୍ଭବତୀ ହେଉଛନ୍ତି । ମହିଳା ମାନେ ଅସୁରକ୍ଷିତ । ୩୬ ହଜାର ମହିଳା ରାଜ୍ୟରେ ନିଖୋଜ ଅଛନ୍ତି । ତେଣୁ ଗୃହ କମିଟି ଗଠନ କରିବା ଓ ଏନେଇ ବାଚସ୍ପତିଙ୍କ ରୁଲିଂ ଦେବାକୁ ଦାବି କରିଛନ୍ତି ରାଜେନ । ଏହାସହ ଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦଳ ପକ୍ଷରୁ ମୁଲତବୀ ନୋଟିସ ଦିଆଯାଇଛି । ସେପଟେ ପ୍ରଶ୍ନକାଳ  ଆଜି ସୁରୁଖୁରୁରେ ଚାଲିଥିଲା । ଆଜି ଉଚ୍ଚଶିକ୍ଷା, କ୍ରୀଡା ଓ ଓଡିଆ ଭାଷା ଓ ସଂସ୍କୃତି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି ।