spot_img

Latest Posts

କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ପରେ ଓଡ଼ିଶାରେ ପ୍ରସ୍ତୁତି: ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: କରୋନାର ନୂଆ ଭ୍ୟାରିଆଣ୍ଟର ମୁକାବିଲା କରିବାକୁ ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ସ୍କୁଲ, କଲେଜରେ ସଂକ୍ରମଣ ଚେନ୍‌କୁ ରୋକିବା ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯିବା ସହ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟକୁ ଫୋକସ କରାଯାଇଛି । ବିଦେଶ ଫେରନ୍ତା ଉପରେ କଡ଼ା ନଜର ରଖିବାକୁ ଅଣ୍ଟା ଭିଡ଼ିଛି ସ୍ୱାସ୍ଥ୍ୟ ବିଭାଗ ।

ବିମାନ ବନ୍ଦରରେ କରୋନା ଟେଷ୍ଟ କରାଯିବ । ଯେଉଁମାନେ ସଂକ୍ରମିତ ଚିହ୍ନଟ ହେବେ, ସେମାନଙ୍କୁ ୧୦ଦିନ ସଂଗରୋଧରେ ରଖିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳ, ସିଡ଼ିଏମଓ ଓ ମହାନଗର ନିଗମକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁସବୁ ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେବେ ସେହି ଅଞ୍ଚଳକୁ ସିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟବାସୀ କୋଭିଡ଼ ନିୟମ ମାନି ସତର୍କ ରହିଲେ ତୃତୀୟ ଲହରକୁ ଏଡ଼ାଇ ହେବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।

ଅନ୍ୟପକ୍ଷରେ ଆମେରିକାର ନ୍ୟୁୟର୍କରେ ଜାରି ହୋଇଛି ଜରୁରୀକାଳୀନ ସ୍ଥିତି । ନ୍ୟୁୟର୍କ ଗଭର୍ଣ୍ଣର କାଥି ହୋଚୁଲ କହିଛନ୍ତି ଗତବର୍ଷ ତୁଳନାରେ ସଂକ୍ରମଣ ସ୍ଥିତି ଗମ୍ଭୀର ହୋଇଥିବା ବେଳେ ହସ୍ପିଟାଲ ଆଡମିଶନ ସଂଖ୍ୟା ମଧ୍ୟ ବଢିଛି। ଆସନ୍ତାବର୍ଷ ଜାନୁଆରୀ ୧୫ ଯାଏ ସହରରେ ଏହି ସ୍ଥିତି ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି। ସ୍ଥିତିର ମୁକାବିଲା ଲାଗି ଟିକାକରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଛି । ନୂଆ ଭାଇରସ ଓମିକ୍ରନର ସମ୍ଭାବ୍ୟ ପ୍ରବେଶ ଦୃଷ୍ଟିକୁ ନଜରରେ ରଖି ବର୍ତ୍ତମାନଠାରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଠାବ ହେବା ପରେ ଆମେରିକା, ବ୍ରିଟେନ, କାନାଡା ଓ ଅନେକ ୟୁରୋପୀୟ ରାଷ୍ଟ୍ର ବିଭିନ୍ନ କଟକଣା ଜାରି କରିଛନ୍ତି।

ଏଥିସହିତ ପଢ଼ନ୍ତୁ: ନ୍ୟୁୟର୍କରେ ଜରୁରୀକାଳୀନ ସ୍ଥିତି, ଜାନୁଆରୀ ୧୫ ଯାଏ କଟକଣା ଜାରି

Latest Posts

Don't Miss