ନେପାଳୀ ଛାତ୍ରୀ ମୃତ୍ୟୁ ଓ ପରବର୍ତ୍ତି ଛାତ୍ର ଅଶାନ୍ତି ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ

1 min read

ଭୁବନେଶ୍ବର: କିଟ ବିଶ୍ବବିଦ୍ୟାଳୟରେ ବିଟେକ ତୃତୀୟ ବର୍ଷର ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ଆତ୍ମହତ୍ୟା ଏବଂ ପରବର୍ତ୍ତି ଛାତ୍ର ଅଶାନ୍ତି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କଲେ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ କମିଟି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚ ଶିକ୍ଷା ବିଭାଗର ସଚିବଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି ।

କିଟ୍ ବିଶ୍ବବିଦ୍ୟାଳୟକୁ ନୋଟିସ ଜାରି କରାଯାଇଥିବା ବେଳେ କମିଟି ରିପୋର୍ଟ ଆଧାରରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର ଘଟଣାର ତଦନ୍ତ କରାଯାଉଛି । ଦୋଷୀ ସାବ୍ୟସ୍ତ ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଏହି ଘଟଣାରେ ୩ ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି । ଜେନେରାଲ HR ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ଆଡମିନ୍ ନିର୍ଦ୍ଦେଶକ ପ୍ରତାପ କୁମାର ଚମ୍ପତ୍ତି ଏବଂ ହଷ୍ଟେଲ ନିର୍ଦ୍ଦେଶକ ସୁଧୀର ରଥଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ ।

ଏମାନଙ୍କ ସହିତ ଦୁଇ ସିକ୍ୟୁରିଟି ଗାର୍ଡ ରମାକାନ୍ତ ନାୟକ ଏବଂ ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ବିଶ୍ବବିଦ୍ୟାଳୟର କିଛି କର୍ମଚାରୀ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ କରିଥିବା ଦୁର୍ବବ୍ୟହାର ପାଇଁ ସେମାନେ ଅନୁତପ୍ତ ବୋଲି କୁଳପତି ପ୍ରଫେସର ସରନଜିତ ସିଂହ କହିଛନ୍ତି ।

କିଟ ପକ୍ଷରୁ ମଧ୍ୟ ଗିରଫ ଦୁଇ ସୁରକ୍ଷା କର୍ମୀଙ୍କୁ ବହିଷ୍କାର କରାଯାଇଥିବା ବେଳେ, ଆନ୍ତର୍ଜାତିକ ରିଲେସନ କାର୍ଯ୍ୟାଳୟର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି । ଏହାସହ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କ୍ୟାମ୍ପସ-୬ରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ପୋଲିସ ମଧ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏକ ଟେଲିଫୋନ ନମ୍ବର ଜାରି କରିଛି ।

ସେପଟେ ଆଜି ଏମ୍ସରେ ମୃତ ଛାତ୍ରୀଙ୍କ ବାପା ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି । ଆସନ୍ତାକାଲି ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । କିଟ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ ଅଶାନ୍ତ ପରିସ୍ଥିତି ପ୍ରତିବାଦରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ କିଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଥାନାରେ ମାମଲା ଦାୟର କରାଯାଇଛି । ଆଜି ବିଧାନସଭାର ଶୂନ୍ୟକାଳରେ ମଧ୍ୟ ବିଭିନ୍ନ ଦଳର ବିଧାୟକ ଉଦବେଗ ପ୍ରକାଶ କରିଥିଲେ ।