ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରୁ ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି ଗଞ୍ଜେଇର କଳା ସାମ୍ରାଜ୍ୟ। କନ୍ଧମାଳରୁ କାଶ୍ମୀର ଏବଂ କାଶ୍ମୀରରୁ କରାଚୀ ପର୍ଯ୍ୟନ୍ତ ଚାଲିଥିଲା ଏହି ଆନ୍ତର୍ଜାତୀୟ ନିଶା ସିଣ୍ଡିକେଟ। ଓଡ଼ିଶା ଗଞ୍ଜେଇର ପାକିସ୍ତାନରେ ପ୍ରବଳ ଡିମାଣ୍ଡ ଥିବା ବେଳେ ଶତ୍ରୁ ଦେଶ ସହ ମିଶି ଏହି ନେଟୱର୍କ କାମ କରୁଥିଲା। ଏବେ ଏହି ବଡ଼ ରାକେଟ୍ ଉପରୁ ପରଦା ହଟାଇବା ସହ ଓଡ଼ିଶାର ସପ୍ଲାୟରମାନଙ୍କୁ ନିଜ ସ୍କାନରକୁ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)।
ଏହି କାରବାର ପଛରେ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ବିକ୍ରମ ସିଂ ଓ ତାର ସହଯୋଗୀ ଦରବିନ୍ଦର ସିଂକୁ ଗତକାଲି ଏନସିବି ଗିରଫ କରିଛି। ଜମ୍ମୁ-କାଶ୍ମୀରର ବାସିନ୍ଦା ଦୁଇ ଅଭିଯୁକ୍ତ, ପ୍ରକୃତରେ ରାଜ୍ୟ ବାହାରକୁ ଫଳ ପରିବହନ କରିବା ପେଶାରେ ଥିଲେ। ହେଲେ ଫଳ ବ୍ୟବସାୟ ଆଢ଼ୁଆଳରେ ଓଡ଼ିଶାରୁ ଗଞ୍ଜେଇ ଚୋରା ଚାଲାଣର ଏକ ବଡ଼ ନେଟୱର୍କ ଚଳାଉଥିଲେ। କାଶ୍ମୀରରୁ ଫଳ ବୋଝେଇ ଟ୍ରକ ଓଡ଼ିଶା ଆସୁଥିଲା ଏବଂ ଏଠାରୁ ଫେରିବା ବେଳେ ସେଥିରେ କନ୍ଧମାଳରୁ ଗଞ୍ଜେଇ ଲୋଡ୍ କରାଯାଇ ସିଧା କାଶ୍ମୀର, ମାହାରାଷ୍ଟ୍ର ଓ ପାକିସ୍ତାନ ଚାଲାଣ କରାଯାଉଥିଲା। ଦୁଇଜଣଙ୍କ ଗିରଫଦାରୀ ପରେ ଓଡ଼ିଶା ଗଞ୍ଜେଇର ଚାହିଦା କେବଳ ଦେଶ ଭିତରେ ନୁହେଁ, ବରଂ ବିଦେଶରେ ମଧ୍ୟ ରହିଛି ବୋଲି ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି।
ଅନ୍ୟପଟେ ରାଜ୍ୟରେ ନିଶା କାରବାର ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଜୋରଦାର ଇନଫୋର୍ସମେଣ୍ଟ ଜାରି ରହିଛି। ଗତ ୧୮ ଦିନ ମଧ୍ୟରେ ପୋଲିସ ୯୭ ଟି NDPS ମାମଲା ରୁଜୁ କରିବା ସହ ୧୩୭ ଜଣଙ୍କୁ ଗିରଫ କରିଛି। ଏହି ସମୟ ମଧ୍ୟରେ ପ୍ରାୟ ୭ ହଜାର ୩ ଶହ ୯୮ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ନିଶା ବିରୋଧୀ ଅଭିଯାନରେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ସବୁଠୁ ଆଗରେ ରହିଛି। ଏବେ ଡ୍ରୋନ ସହାୟତାରେ ଗଞ୍ଜେଇ ଚାଷ ଚିହ୍ନଟ କରାଯାଇ ନଷ୍ଟ କରାଯାଉଛି। ଏହା ସହ ମାଫିଆଙ୍କୁ ଗିରଫ କରିବା ସହ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ମଧ୍ୟ ଚାଲିଛି। ଅଦାଲତରେ ଦଣ୍ଡବିଧାନ ହାର ବଢାଇବାକୁ ତଦନ୍ତ ପ୍ରକ୍ରିୟାକୁ ଆହୁରି ତ୍ୱରିତ କରାଯାଉଥିବା ବେଳେ, ନିଶା ମାଫିଆଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ଡିଜିପି ଚେତାବନୀ ଦେଇଛନ୍ତି।
ତେବେ ପୋଲିସ ଓ ସୁରକ୍ଷା ସଂସ୍ଥା ଆଖିରେ ଧୂଳି ଦେବା ପାଇଁ ନିଶା ମାଫିଆମାନେ ନୂଆ ନୂଆ ଉପାୟ ଆପଣାଉଛନ୍ତି। କେତେବେଳେ ମହିଳାମାନଙ୍କୁ ଢାଲ କରି ତ ଆଉ କେତବେଳେ ଦାମୀ ଆଲିଶାନ ଗାଡ଼ି ସାହାରାରେ ଏହି ନିଶା ସିଣ୍ଡିକେଟ ଚାଲୁଛି। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର କରିବା ବା ‘ଇଜି ମନି’ ଆଶାରେ ଏବେକାର ଉଚ୍ଚ ଶିକ୍ଷିତ ଯୁବପିଢ଼ି ମଧ୍ୟ ଏହି ଗଞ୍ଜେଇ ବେପାର ଆଡ଼କୁ ଆକର୍ଷିତ ହେଉଛନ୍ତି।

