ଓଡ଼ିଶା ଫୁଡ୍ ପ୍ରୋ ୨୦୨୨ କାର୍ଯ୍ୟକ୍ରମ ଉଦଘାଟିତ, ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବ

ଭୁବନେଶ୍ୱର: ଆରମ୍ଭ ହେଲା ଓଡ଼ିଶା ଫୁଡ୍ ପ୍ରୋ ୨୦୨୨ । କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରାଜ୍ୟ ବିକାଶରେ ଏହା ଏକ ନୂଆ ଯୁଗ ସୃଷ୍ଟି କରିବ। ଜାତୀୟ ଓ ଆନ୍ତର୍ଜାତିକ ମାନଚିତ୍ରରେ ଏହା ଏକ ବାର୍ଷିକ ଇଭେଣ୍ଟ ଭାବେ ପରିଗଣିତ ହେବ ବୋଲି କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ ଅତ୍ୟାଧୁନିକ ସପ୍ଲାଏ ଚେନରେ ଭାଗୀଦାର ହେବେ । ଦେଶ ଓ ବିଦେଶର କମ୍ପାନୀ ମାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏହା ଆକୃଷ୍ଟ କରିବ । ସେଥିପାଇଁ ଏକାଠି ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମଳ ପରବର୍ତ୍ତୀ ଫସଲ କ୍ଷତିକୁ ଏହା ଭରଣା କରିବ। ଯାହାଦ୍ବାରା ଚାଷୀ ଲାଭବାନ ହେବ ।

ଏହି କାର୍ଯ୍ୟ କ୍ରମରେ ଶକ୍ତି ଓ ଏମସଏମଇ ମନ୍ତ୍ରୀ ପ୍ରତାବ ଦେବ ଯୋଗ ଦେଇ କହିଛନ୍ତି, ଓଡ଼ିଶାରେ ସେହି ଶ୍ରେଣୀରେ ଏହା ପ୍ରଥମ । ବିଭାଗୀୟ କର୍ମଚାରୀଙ୍କ ପ୍ରଚେଷ୍ଟା ଦ୍ୱାରା ସଫଳ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ପାଇଁ ମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହା ବ୍ୟତୀତ କହିଛନ୍ତି, ଛୋଟ ନିବେଶକ ଏବଂ ଉଦ୍ୟୋଗ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିବ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପ୍ରିନ୍ସିପାଲ ସେକ୍ରେଟାରୀ ରଞ୍ଜନ ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ ।