ସୁନ୍ଦରଗଡ଼ରେ BSKY ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ସ୍ୱାସ୍ଥ୍ୟ ହିଁ ସମ୍ପଦ, ସୁସ୍ଥ ରହିଲେ ସବୁକାମ ହୋଇପାରିବ । କାର୍ଡ ଜରିଆରେ ହସ୍ପିଟାଲରୁ ଚିକିତ୍ସା ସୁବିଧା ମିଳିବ । ସୁନ୍ଦରଗଡ଼ ଜିଲ୍ଲାପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ମାସ ଭିତରେ ସୁନ୍ଦରଗଡ଼କୁ ଦ୍ୱିତୀୟ ଗସ୍ତ କରି ନିଜ ହାତରେ ୭ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଛନ୍ତି ନବୀନ । ଏହା ସହ ୫୮୦ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ବର୍ଷକ ଭିତରେ ସୁନ୍ଦରଗଡ଼କୁ ୫୬୦୦କୋଟି ଟଙ୍କାର ଭେଟି ଦେଇଛନ୍ତି ରାଜ୍ୟ ସରକାର ।

ସମାରୋହରେ ମୁଖ୍ୟମନ୍ତ୍ରୀ ଉଦବୋଧନ ପୂର୍ବରୁ ନୂଆଁଖାଇ ଜୁହାର ଜଣାଇ କହିଛନ୍ତି, ଏମାଟିର ବରପୁତ୍ର ସାରା ଦେଶକୁ ଗର୍ବିତ କରିଛନ୍ତି । ଅଲିମ୍ପିକ୍ସ ପଦକ ବିଜେତାଙ୍କ ଏ ମାଟିକୁ ପ୍ରଣାମ । ୪ହକି ଅଲିମ୍ପିଆନଙ୍କୁ ଅଭିନନ୍ଦନ । ସୁନ୍ଦରଗଡ଼ର ପିଲାମାନେ ଓଡ଼ିଶାର ଗୌରବ ବଢ଼ାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସ୍ମାର୍ଟକାର୍ଡ ବାଣ୍ଟି ବହୁତ ଖୁସି ବୋଲି କହିଛନ୍ତି ନବୀନ । ୨୦୦ରୁ ଅଧିକ ହସ୍ପିଟାଲରେ କାର୍ଡ ଦେଖାଇ ଚିକିତ୍ସା ପାଇପାରିବେ । ପରିବାର ପାଇଁ ୫ଲକ୍ଷ ଓ ମା’ମାନଙ୍କ ପାଇଁ ୧୦ଲକ୍ଷ ଯାଏ ସୁବିଧା ରହିଛି ।

ଏଭଳି ସୁବିଧା ଦେବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ଚିକିତ୍ସା ପାଇଁ ଟଙ୍କା ସବୁଠୁ ବଡ଼ ଟେନସନ । ବିଭିନ୍ନ ଉତ୍ସରୁ ଅର୍ଥ କାଢ଼ି ଚିକିତ୍ସା ଖର୍ଚ୍ଚ ତୁଲାଇଥାନ୍ତି ଲୋକେ । ଏହା ଗଭୀର କଷ୍ଟ ଦେଇଥାଏ ବୋଲି କହିବା ସହିତ ଏବେ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ତୁଲାଇବେ । ରାଜ୍ୟବାସୀ ଚିକିତ୍ସା ଖର୍ଚ୍ଚକୁ ପିଲାମାନଙ୍କର ପାଠପଢ଼ାରେ ଖର୍ଚ୍ଚ କରିପାରିବେ ବୋଲି ନବୀନ ପରାମର୍ଶ ଦେଇଛନ୍ତି । ମେଡିକାଲରେ ଲକ୍ଷ ଲକ୍ଷ ରୋଗୀ ବଡ଼ ବଡ଼ ସୁବିଧା ନେଇଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀରୁ ଆରମ୍ଭ କରି ରିକ୍ସାବାଲା, ଗାଁରୁ ସହରଯାଏ ସମସ୍ତେ ମୂଲ୍ୟବାନ । ସୁସ୍ଥ ରହି ପରିବାରର ଉନ୍ନତି କରନ୍ତୁ । ସୁନ୍ଦରଗଡ଼ ଜିଲ୍ଲାରେ ଦ୍ୱିତୀୟ ଏମ୍ସ ପାଇଁ ଉଦ୍ୟମ ଜାରିରହିଛି । କେନ୍ଦ୍ର ନିକଟରେ ଦାବି କରିଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply