spot_img

Latest Posts

କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଣ୍ଟାବାଞ୍ଜି: ପଶ୍ଚିମ ଓଡ଼ିଶାରେ ନବୀନ କ୍ରେଜ୍। ଆଜି ନିଜର ଦ୍ବିତୀୟ ଆସନ କଣ୍ଟାବାଞ୍ଜି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ତୁଷରା ଏୟାର ଷ୍ଟ୍ରିପ ପରେ ଟିଟିଲାଗଡ଼ ସିଟି ସ୍କୁଲ ପ୍ଲେ ଗ୍ରାଉଣ୍ଡରେ ପହଞ୍ଚିଥିଲେ ନବୀନ। ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ରାସ୍ତାର ଦୁଇ ପାଖରେ ନବୀନଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ଯୁବ, ଛାତ୍ର ଓ ମହିଳା ଏକତ୍ରିତ ହୋଇ ନବୀନଙ୍କୁ ସ୍ବାଗତ କରିଥିଲେ। ମହିଳାମାନେ ଫୁଲ ପକାଇ ଆପଣାର ନେତାଙ୍କୁ ପାଛୋଟି ନେଉଥିଲେ। ରାସ୍ତା ସାରା ନବୀନଙ୍କ ଉପରେ ହେଉଥିଲା ପୁଷ୍ପବୃଷ୍ଟି। ନବୀନ କଣ୍ଟାବାଞ୍ଜିରୁ ଲଢୁଥିବାରୁ ସମସ୍ତଙ୍କ ମଧ୍ଯରେ ଉତ୍ସାହ ବେଶ୍ ବାରି ହୋଇପଡୁଥିଲା। ଲୋକଙ୍କ ମଧ୍ଯରେ ଖୁସି ପ୍ରତିଫଳିତ ହେଉଥିଲା। ମୁଖ୍ଯମନ୍ତ୍ରୀଙ୍କ ପ୍ରତି ଭଲପାଇବା ଓ ସମର୍ଥନକୁ ଜଣାଉଥିଲେ ଜନସାଧାରଣ। ବିପୁଳ ସମ୍ବର୍ଦ୍ଧନା ସହ କଣ୍ଟାବାଞ୍ଜିରୁ ଲଢୁଥିବାରୁ ନବୀନଙ୍କୁ କୃତଜ୍ଞତା ଜଣାଇଥିଲେ ଜନତା। ନବୀନଙ୍କୁ ପାଇ ପୂରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ଟିଟିଲାଗଡ଼ ଥାନା ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନବୀନ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଚଳିତ ନିର୍ବାଚନରେ ନବୀନ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ବି ପ୍ରାର୍ଥୀ ହୋଇଛନ୍ତି। ଗତ ୩୦ ତାରିଖରେ ସେ ହିଞ୍ଜିଳି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲେ କରିଥିଲେ ।

Latest Posts

Don't Miss