ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୩୦ ହଜାର କୋଟିର ବଜେଟ୍
1 min readନନ୍ଦିଘୋଷ ବ୍ୟୁରୋ: ଧାନ ସଂଗ୍ରହ ପାଇଁ ୨ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ରିର୍ଭଲ ବିଙ୍ଗ ପାଣ୍ଠି । ରାଜ୍ୟରେ ନୂତନ ଭାବେ କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜାନକୁ କାର୍ଯ୍ୟକାରୀ କରିବେ ସରକାର । ଏହିଭଳି ଭଳିକି ଭଳି ୨୦ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେବେ ସରକାର । ରାଜ୍ୟରେ ବିକାଶର ଗାଡି ଆଗକୁ ଗଡ଼ିବ । ମୁଣ୍ଡପିଛା ଆୟ ବଢିବ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମିରୁ ଆରମ୍ଭ କରି ମହିଳା ଉଦ୍ୟୋଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିବ ପ୍ରତ୍ସୋହନ ଓ ସହାୟତା । ୨୦୨୩-୨୪ ଅର୍ଥିକ ବର୍ଷର ବଜେଟ ଆଗତ କରି ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ବିଧାନସଭାରେ ଶୁକ୍ରବାର ୨୦୨୩-୨୪ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରି ମନ୍ତ୍ରୀ ଶ୍ରୀ ପୂଜାରୀ ଦର୍ଶାଇଛନ୍ତି ରାଜ୍ୟରେ ସାମଗ୍ରିକ ବିକାଶ ସହ ଜନ କଲ୍ୟାଣ ପାଇଁ ସରକାର ବହୁ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେବେ । ଏଥିପାଇଁ ବଜେଟରେ ପାଣ୍ଠି ବରାଦ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେଥିରୁ ୯୪ ହଜାର କୋଟି ପ୍ରଶାସନିକ ବ୍ୟୟ ପାଇଁ ବରାଦ ହୋଇଥିଲାବେଳେ କାର୍ଯ୍ୟକ୍ରମ ବ୍ୟୟ ବରାଦକୁ ୧ ଲକ୍ଷ ୨୫ ହଜାର କୋଟିକୁ ବୃଦ୍ଧି ହୋଇଛି । ବଜେଟରେ ଗରୀବ, ଅବହେଳିତ, ଯୁବକ, ମହିଳା, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟଲଘୁ ଓ ପଛୁଆ ବର୍ଗର ବିକାଶକୁ ଧ୍ୟାନରେ ରଖି ପାଣ୍ଠି ବରାଦ ହୋଇଛି । ସରକାରଙ୍କ ବଜେଟରେ ସ୍ୱାସ୍ଥ୍ୟକୁ କରାଯାଇଛି ସର୍ବାଧିକ ଫୋକସ ।
ସ୍ୱାସ୍ଥ୍ୟ ବିଭାଗକୁ ୧୬ ହଜାର ୪୮ କୋଟି
କଟକ ବଡ଼ ମେଡିକାଲକୁ ଏମସ ପ୍ଲସ ହସ୍ପିଟାଲରେ ରୂପାନ୍ତରିତ କରିବା ସହ ଶିଶୁ ମାତୃହାର ହ୍ରାସ ପାଇଁ ପଦକ୍ଷେପ ନିଆଯାଇଛି । BSKYରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସରକାର ସଂକଳ୍ପ ନେଇଛନ୍ତି । ଜନସ୍ୱାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି । ଯାହା ଗତବର୍ଷ ଠାରୁ ୨୭ ପ୍ରତିଶତ ଅଧିକ ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାର ଆମ ହସ୍ପିଟାଲ ନାମରେ ନୂଆ ଯୋଜନା ଆରମ୍ଭ କରିବେ । ଏଥିପାଇଁ ଚଳିତ ବଜେଟରେ ୭୫୦ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି । ଏଥିରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ରୋଗୀଙ୍କ ମୈଳିକ ସୁବିଧା ସୁଯୋଗ, ସେବା ପ୍ରଦାନ ଯୋଜନାରେ ଉନ୍ନତି କରାଯିବ । BSKY ଯୋଜନା ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ । ଏଥିରେ ଏଯାଏଁ ୧୦ ଲକ୍ଷରୁ ଅଧିକ ପରିବାର ପ୍ରମୁଖ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ପାଇଛନ୍ତି ।
ସେହିଭଳି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଗତ ୬ ବର୍ଷରେ ବାଲେଶ୍ୱର, ବାରିପଦା, ବଲାହ୍ଗୀର, କୋରାପୁଟ, ପୁରୀ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି । ଆସନ୍ତାବର୍ଷ କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ପରେ ତାଳଚେର, ଫୁଲବାଣୀ ଓ ଯାଜପୁର ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରାଯିବ ।
ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହି ମନ୍ତ୍ରରେ ବିଶ୍ୱାସ ରଖି ସରକାର ଆମ୍ବୁଲାନ୍ସ ସେବାକୁ ଅଧିକ ବ୍ୟାପକ କରିବା ସହ ଜନସାଧାରଣଙ୍କୁ କ୍ୟାନ୍ସର ରୋଗର ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ପାଞ୍ଚ ବର୍ଷରେ ପ୍ରାୟ ୪ ହଜାର ଡାକ୍ତରଙ୍କୁ ନିଯୁକ୍ତି ମିଳିଥିବାବେଳେ ଗତ ୩ ବର୍ଷରେ ୯ ହଜାରରୁ ଅଧିକ ନର୍ସ ଓ ପାରା ମେଡିକାଲ ଅଫିସର ନିଯୁକ୍ତ ପାଇଛନ୍ତି ।
ଗଣଶିକ୍ଷା ବିଭାଗକୁ ୨୨ ହଜାର ୫୨୮ କୋଟି
ଜୀବନ ଧାରଣ ମାନରେ ସମୃଦ୍ଧି ଆଣିବାକୁ ଶିକ୍ଷା ହିଁ ହେଉଛି ପ୍ରମୁଖ ମାନଦଣ୍ଡ । 5T ନୀତିରେ ହାଇସ୍କୁଲର ରୂପାନ୍ତରୀକରଣ କରାଯାଇଛି । ଏହାଦ୍ୱାରା ସରକାରୀ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଅତ୍ୟାଧୁନିକ ଇ ଲାଇବ୍ରେରୀ ଓ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ମିଳିପାରୁଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ହଜାର ୭୫ ଟି ହାଇସ୍କୁଲ, ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ୪୬୧ଟି ହାଇସ୍କୁଲକୁ ରୂପାନ୍ତରୀକରଣ କରାଯାଇଛି । ମୋ ସ୍କୁଲ ଅଭିଯାନରେ ୩୦ଲକ୍ଷରୁ ଅଧିକ ପୂର୍ବତନ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟ ଯୋଗ ଦେଇଛନ୍ତି । ଆସନ୍ତା ଆର୍ଥିକ ବର୍ଷରେ ଏଥିରେ ୮ଶହ ୫କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଆସନ୍ତା ଶିକ୍ଷାବର୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକାରୀ ହେବ । ଏଥିରେ ବିଦ୍ୟାଳୟର ଉତ୍କର୍ଷକୁ ସ୍ୱୀକୃତି ମିଳିପାରିବ । ଅଧିକ ଶିକ୍ଷକ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯାଉଛି । ସିବିଏସଇ ପାଠ୍ୟକ୍ରମ ଅନୁଯାୟୀ ଗୁଣାତତ୍ମକ ଶିକ୍ଷା ପ୍ରଦାନ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବେଶ ଆଖି ଦୃଶିଆ ପଦକ୍ଷେପ ନେଉଛି । ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ସହ ପଛୁଆବର୍ଗ ଏବଂ ସଂଖ୍ୟଲଘୁ ସଂପ୍ରଦାୟର ପିଲାଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରାଇବାକୁ ପ୍ରାକ୍ ମାଟ୍ରିକ ବୃତ୍ତି, ମାଟ୍ରିକ ପରବତ୍ତୀ ବୃତ୍ତି ସହ ଅନ୍ୱେଷା ଓ ଆଂକାକ୍ଷା ଭଳି ଯୋଜନା ହାତକୁ ନିଆଯାଇଛି ।
ଉଚ୍ଚଶିକ୍ଷାକୁ ୩ ହଜାର ୧୭୩
ଗଣଶିକ୍ଷା ଭଳି ସରକାରଙ୍କ ଫୋକସରେ ରହିଛି ଉଚ୍ଚଶିକ୍ଷା । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୮କୁ ବଢିଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଶାସନିକ ଓ ସିକ୍ଷାଗତ ସଂସ୍କାର ପାଇଁ ଅଧ୍କ ପାଣ୍ଠି ବରାଦ ହୋଇଛି । ୨ଶହ ମେଧାବୀ ଛାତ୍ରଛାତ୍ରୀଙ୍କୁ IAS କୋଚିଂ ପାଇଁ ମାଗଣାରେ ସମସ୍ତ ସୁବିଧା ମିଳିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାରେ ଓଡ଼ିଆ ପିଲାଙ୍କୁ ଯୋଡିବାକୁ ସରକାର ଦୀର୍ଘ ମିୟାଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସିଇଟି ଏବେ OUTR ହୋଇଛି । ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଏହା ଏକ ଉତ୍କର୍ଷ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହେବ । ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାକୁ ୯ଶହ ୮୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି ।
ହକି ବିଶ୍ୱକପ ଆୟୋଜନ କରି ସମଗ୍ର ବିଶ୍ୱରେ ଓଡ଼ିଶା ପ୍ରଶଂସା ସାଉଁଟିଥିବାବେଳେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସର୍ବ ବୃହତ ହକି ଷ୍ଟାଡିୟମ ମାନ୍ୟତା ପାଇବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର କଥା । କ୍ରୀଡା ଭିତ୍ତିଭୂମିର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ଗୃହକୁ କହିଥିଲେ । ବଜେଟ ଅଭିଭାଷଣରେ ମହିଳା ବିକାଶ ଓ ଆର୍ଥିକ ସ୍ୱାଧିନତା ପାଇଁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ପାଞ୍ଚ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ୧୦ ହଜାର କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦିଆଯିବ । ଏସଏଚଜିଙ୍କ ପାଇଁ କ୍ଷୁଦ୍ର ଶିଳ୍ପ ପାର୍କ ନିର୍ମାଣ ହେବ । କୋଭିଡରେ ପିତାମାତାଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଶୀର୍ବାଦ ଯୋଜନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ଟଙ୍କାର ପାଣ୍ଠି ବରାଦ ହୋଇଛି ।
ଦିବ୍ୟାଙ୍ଗ, ବୃଦ୍ଧ , ନିରାଶ୍ରୟ ଓ କିନ୍ନର ମାନଙ୍କ ସାମାଜିକ ନିରାପତ୍ତା ଶସକ୍ତିକରଣ ପାଇଁ ସରକାର ସଂକଳ୍ପବଦ୍ଧ । ଆସନ୍ତା ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବୀକା ମିଶନ ନାମରେ ସ୍ୱତନ୍ତ୍ର ଯୋଜନା ଆରମ୍ଭ ହେବ । ଗରିବ ପରିବାର ମୁଣ୍ଡରେ ଛାତ ରଖିବାକୁ ସରକାର ସମସ୍ତ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇବା ପାଇଁ ସରକାର ସଂକଳ୍ପବଦ୍ଧ । ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସଡକ , ରେଳପଥ ଓ ପରିବହନର ବିକାଶ ପାଇଁ ନୂଆ ନୂଆ ପଦକ୍ଷେପ ସରକାର ନେଉଛନ୍ତି । ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ । ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପକୁ ବିଶ୍ୱ ସ୍ତରୀୟ ପାଇଲଟ ଟ୍ରେନିଂ ସେଣ୍ଟର କରାଯିବ ।
ବିଜୁ ଏକ୍ସପ୍ରେସ ୱେର ଦ୍ୱିତାୟ ପର୍ଯ୍ୟାୟରେ ୬ ହଜାର ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବ୍ରହ୍ମପୁରରୁ ଜୟପୁର ୪ ଲାଇନ ରାସ୍ତା ନିର୍ମାଣ ହେବ । ବିଜୁ ସେତୁ ଯୋଜନାରେ ଆମ ସରକାର ଆଗାମୀ ପାଞ୍ଚ ବର୍ଷରେ ୬ ହଜାର କୋଟିରୁ ଅଧିକ ନିବେଶ କରିବେ । ଶିଳ୍ପ ଓ MSME ସରକାରଙ୍କ ଅଗ୍ରାଧିକାର ତାଲିକାରେ ରହିଛି । MSME ପାର୍କ, ଆଇଟି ଟାୱାର ନିର୍ମାଣକୁ ଯେତିକି ଗୁରୁତ୍ୱ ଦିଆଯାଉଛି । ଷ୍ଟାଟଅପକୁ ସେତିକି ପ୍ରତ୍ସାହିତ କରୁଛନ୍ତି ସରକାର । ମେକ ଇନ୍ ଓଡ଼ିଶା କଲକ୍ଲେଭ ସଫଳ ହୋଇଥିବାବେଳେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଆଇଟି କମ୍ପାନୀ ଓଡ଼ିଶା ମୁହାଁ ହୋଇଛନ୍ତି ।
ସହରାଞ୍ଚଳର ବିକାଶ ଓ ବସ୍ତିବାସୀନ୍ଦାକୁ ଜାଗା ମିଶନରେ ଜମି ଅଧିକାରରରେ ଆମେ ଜାତିସଂଘର ପ୍ରଶଂସା ପାଇଛୁ । ସହରାଞ୍ଚଳର ରୂପାନ୍ତରୀକରଣକୁ ଦୃଷ୍ଟିରେ ରଖି ବଜେଟରେ ଅଧିକ ପାଣ୍ଠି ବରାଦ କରାଯାଇଛି । ଐତିହ୍ୟ ଓ ଧାର୍ମିକ ସ୍ଥଳ ଗୁଡିକର ନବକଳେବର କରାଯାଉଛି । ଏଥିପାଇଁ ୩ ଶହ ୭୪ କୋଟି ଟଙ୍କା ବରାଦ ହୋଇଛି । ଆର୍ଥିକ ପରିଚାଳନାରେ ଓଡ଼ିଶା ଏକ ମେଡେଲ ଭାବେ ଉଭା ହୋଇଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହକୁ ବଜେଟ ଅଭିଭାଷଣରେ ଅବଗତ କରାଇଛନ୍ତି ।