ବିକାଶ ପାଇଁ ଦେଇଥିଲେ ଶହେ ଦିନର କଣ୍ଟ, ପୂରିଲାଣି ୩୩୦ ଦିନ; ବିକାଶ କାମ ଠପ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ସରକାର ଚାଲିବା ଭଳି ଲାଗୁନି । ବିଜେପି ଯେପରି ଭାବେ ସରକାର ଚଳାଇଛି ଲୋକେ ଅତିଷ୍ଟ ହେଲେଣି । ପ୍ରଶ୍ନ ଉଠାଇ ବିଜେଡି ଅଭିଯୋଗ କରିଛି ବିକାଶମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ । ୧୦୦ ଦିନର ନିର୍ବାଚନୀ ପ୍ରତିଶ୍ରୁତି ଏବେ ୩୩୦ ଦିନରେ ପହଞ୍ଚିଲାଣି । ଆଗେ ସରକାର ବିକାଶର ହିସାବ ଦିଅନ୍ତୁ । ପରେ ରାଜ୍ୟବାସୀଙ୍କ ତରଫରୁ ବିଜେଡି ହିସାବ ମାଗିବ । କଂଗ୍ରେସ ମଧ୍ୟ ଅଭିଯୋଗ କରି କହିଛି, ଏବେର ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ।
ବିକାଶ ପାଇଁ ୧୦୦ ଦିନ କଣ୍ଟ ଦେଇଥିଲ । ଏବେ ୩୩୦ ଦିନ ପୂରିବାକୁ ବସିଲାଣ । ରାଜ୍ୟ ସରକାରଙ୍କୁ ବିଜେଡିର ଖୋଲା ଚାଲେଞ୍ଜ୍ । କ’ଣ କରିଛ ବିକାଶ ? ଜବାବ ମାଗୁଛନ୍ତି ଲୋକେ । ଆଗ ଲୋକଙ୍କୁ ହିସାବ ଦିଅ । ପରେ ରାଜ୍ୟବାସୀଙ୍କ ତରଫରୁ ସରକାରଙ୍କୁ ହିସାବ ମାଗିବ ବିଜୁ ଜନତା ଦଳ । ୨୦୨୪ ନିର୍ବାଚନରେ ବିଜେପି ଓଡିଶାବାସୀଙ୍କ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛି ? ବିକାଶର ଚିତ୍ର ଦେଖାଇ ଶାସକ ଦଳ ଯେଉଁ ହିସାବ ଦେବ ସେ ସବୁ ବେହିସାବ ବୋଲି ଧରାଯିବ । ୧୧ ମାସର ବିଜେପି ସରକାର ଉପରେ ଅତିଷ୍ଠ ଲୋକେ । ଯଦି ଏବେ ନିର୍ବାଚନ ହୁଏ, ଅବସ୍ଥା ଖରାପ ହୋଇଯିବ । ଏପରି କହି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି, ଓଡିଶାବାସୀଙ୍କୁ ସେବା ଦେବାରେ ରାଜ୍ୟ ସରକାରଙ୍କ ସବୁ ବିଭାଗ ବିଫଳ । ୩୦୦ ୟୁନିଟ ମାଗଣା ବିଜୁଳି, ଚିଟଫଣ୍ଡ, ଧାନର କଟନିଛଟନି ପ୍ରସଙ୍ଗ ଉଠାଇ ବିଜେପିକୁ ନିର୍ବାଚନୀ ପ୍ରତିଶ୍ରୁତି ମନେ ପକାଇଦେଇଛି କଂଗ୍ରେସ । ବର୍ଷ ପୂରିବା ପରେ ମନ୍ତ୍ରୀମାନେ ରିପୋର୍ଟ କାର୍ଡ଼ ସହ ନିଜର ବିଫଳତାର କଥା କହିବେ କି ବୋଲି କଂଗ୍ରେସ ପଚାରିଛି ।
ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛି ଶାସକ ବିଜେପି । ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଯୁକ୍ତି ସରକାର ବିରୋଧରେ ନ୍ୟାରେଟିଭ ସୃଷ୍ଟି କରୁଛି ବିଜେଡି । ଛାୟା ମନ୍ତ୍ରିମଣ୍ଡଳ ଗଠନ କରି ଏପରି ନ୍ୟାରେଟିଭ ପ୍ରସ୍ତୁତ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ବିଜେପି ଶାସନରେ ଲୋକେ ସନ୍ତୁଷ୍ଟ ଥିବା ସେ ପାଲଟା ଜବାବ ଦେଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ବିଜେପି ବିଧାୟକଙ୍କ ଏପରି ଯୁକ୍ତିକୁ ନେଇ କଡା ସମାଲୋଚନା କରିଛନ୍ତି ।
କ୍ଷମତାକୁ ଆସିବା ଦିନଠାରୁ ବିଜେପି ସରକାର ଓଡିଶାବାସୀଙ୍କୁ ଭଣ୍ଡାଇ ଚାଲିଛି । ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ଅପାରଗ ଡବଲ ଇଞ୍ଜିନ ସରକାର ଖାଲି ଝୁଣ୍ଟି ଚାଲିଛନ୍ତି ।