ବର୍ଷେ ପୂରିନି, ବଦଳି ଗଲା ରାଜ୍ୟ ବିଜେପି ସରକାରଙ୍କ ପ୍ରତିଶ୍ରୁତି: ଓଡ଼ିଶାକୁ ୧ ନମ୍ବର ନୁହେଁ କରିବେ ୫ ନମ୍ବର

ନନ୍ଦିଘୋଷ ବ୍ୟୁରୋ: ବର୍ଷେ ହୋଇନି ବଦଳି ଗଲା ରାଜ୍ୟ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି । ଓଡ଼ିଶାକୁ ୧ ନମ୍ବର ନୁହେଁ ଦେଶର ୫ ନମ୍ବର ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ଦେଶରେ ଓଡ଼ିଶାକୁ ନମ୍ୱର୍ ୱାନ ରାଜ୍ୟ ଭାବେ ଗଢି ତୋଳିବାକୁ ସ୍ବପ୍ନ ଦେଖିଥିବା ବିଜେପିର ଡବଲ ଇଞ୍ଜିନ ସରକାରର ମିଛକୁ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଧରାଇ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବିଜେଡି କହିଛି ବିଜେପି ସରକାର ମିଛର ସରକାର, ବର୍ଷେ ଭିତରେ ସେମାନେ ତାହା ପ୍ରମାଣିତ କରିଛନ୍ତି । କଂଗ୍ରେସ ମଧ୍ୟ ବିଜେପିର ଓଡ଼ିଶା ବିକାଶ ଆଭିମୁଖ୍ୟ ନେଇ ବର୍ଷିଛି ।

ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ନାରା ଦେଉଥିବା ବିଜେପି ସରକାରର ମିଛ ଧରାଇ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓଡ଼ିଶାକୁ ଦେଶର ୧ ନମ୍ଵର ରାଜ୍ୟ କରିବେ ବୋଲି ୨୪ ନିର୍ବାଚନ ଆଗରୁ ରଡ଼ି ଛାଡୁଥିଲା ବିଜେପି । ସରକାର ଗଠନର ବର୍ଷେ ପୂରିନି, ବଦଳି ଯାଇଛି ଦଳ ଓ ସରକାରର ସ୍ବପ୍ନ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଓଡ଼ିଶାକୁ ଦେଶର ୫ ନମ୍ବର ରାଜ୍ୟ ଭାବେ ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ହଠାତ୍ କାହିଁକି ଓଡ଼ିଶାକୁ ୧ ନମ୍ବର କରିବାର ସ୍ଵପ୍ନରୁ ବିଜେପି ପଛ ଘୁଞ୍ଚା ଦେଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ଡବଲ ଇଞ୍ଜିନ ସରକାର ହେବା ପରେ ଓଡିଶା ପାଇଁ କମିଛି କେନ୍ଦ୍ରୀୟ ଅନୁଦାନ । ଠପ୍ ହୋଇଯାଇଛି ବିକାଶ କାମ ।

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, କେବଳ ଭାଷଣ ବାଜିରେ ସରକାର ଚାଲିଥିବାରୁ ଓଡ଼ିଶାକୁ ବିଜେପି ଦେଶର ୫ ନମ୍ଵର ରାଜ୍ୟ କରିବ ନା ୨୫ ନମ୍ଵର କରିବ, ତାହା ମନ୍ତ୍ରୀଙ୍କ ବୟାନରୁ ଜଣାପଡୁଛି । ଜୟଦେବ ମାନିଛନ୍ତି, ନବୀନ ପଟ୍ଟନାୟକ ଓଡ଼ିଶାକୁ ୧ ନମ୍ଵର ରାଜ୍ୟ କରିବାକୁ ସବୁବେଳେ ପ୍ରୟାସ କରୁଥିଲେ ।

ନବୀନ ପଟ୍ଟନାୟକଙ୍କ ସରକାର ବେଳେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ନା କେବଳ ଦେଶର ରୋଲ୍ ମଡେଲ ସାଜିଥିଲା ବରଂ ଆର୍ଥିକ ପରିଚାଳନାରେ  ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଶିଳ୍ପାୟନ, ଭିତ୍ତିଭୂମି ବିକାଶ, ରାସ୍ତାଘାଟ, ସେତୁ ନିର୍ମାଣ, ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନର ବିକାଶ ନବୀନଙ୍କ ସମୟରେ ଶୀର୍ଷରେ ପହଞ୍ଚିଥିଲା । ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ୧ ନମ୍ବର ରାଜ୍ୟ ପରିଣତ ହୋଇଥିଲା । ବିଜେପି ସରକାର ଆସିବା ପରେ ଏଥିରେ ବ୍ରେକ ଲାଗିଛି ।  ବିଜେପି ମନ୍ତ୍ରୀ କହିଲେଣି, ଓଡ଼ିଶାକୁ ୫ ନମ୍ବର ରାଜ୍ୟ କରାଯିବ । ଏ ସରକାର ଯେତେ ପୁରୁଣା ହେବ, ଏହି ନମ୍ଵର ସେତେ ଘୁଞ୍ଚି ଘୁଞ୍ଚି ଚାଲିବ ବୋଲି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ।

୨୪ ବର୍ଷ ଧରି ନବୀନ ପଟ୍ଟନାୟକ କଥା କମ୍, କାମ ଅଧିକ ନୀତିରେ ବିଶ୍ବାସ କରି ଓଡ଼ିଶାର ବିକାଶ ନକ୍ସାକୁ ନୂଆ ପରିଚୟ ଦେଇଥିଲେ । ଓଡ଼ିଶାକୁ ୧ ନମ୍ବର ରାଜ୍ୟ ଭାବେ ଗଢି ତୋଳିବାକୁ କାମ କରୁଥିଲେ । ହେଲେ ସରକାର ବଦଳିବା ପରେ ଏଥିରେ ଯେ ବଡ଼ ବ୍ରେକ୍ ଲାଗିଛି, ମନ୍ତ୍ରୀଙ୍କ ବୟାନରୁ ତାହା ସ୍ପଷ୍ଟ ହୋଇଛି ।