ବିରୋଧୀରେ ଥିବା ବେଳେ ହମ୍ ସାଥ୍ ସାଥ୍ ହେଁ… ସରକାରକୁ ଆସି ଭୁଲିଗଲେ
ଭୁବନେଶ୍ବର: ମହାବିଦ୍ୟାଳୟ ଅଧ୍ୟାପକ, କର୍ମଚାରୀଙ୍କ ସହ ରାଜ୍ୟ ବିଜେପି ସରକାର ଖେଳୁଛି ଗେମ୍ । ବିରୋଧୀ ଦଳରେ ଥିବା ବେଳେ କରୁଥିଲେ ସମର୍ଥନ । ସରକାରୁ ଆସିବା ପରେ ଏବେ କାଶିଆ କିଏ ନେ କାପିଳା କିଏ । କ୍ଷମତା ବାହାରେ ଥିବା ବେଳେ ଆନ୍ଦୋଳନକାରୀଙ୍କ କାନ୍ଧରେ କାନ୍ଧ ମିଶାଇ ତତ୍କାଳୀନ ସରକାର ଉପରେ ବର୍ଷୁଥିଲେ । ଆନ୍ଦୋଳନକାରୀଙ୍କ ଦାବି ଯଥାର୍ଥ, ତୁରନ୍ତ ପୂରଣ କରାଯିବ ଉଚିତ ବୋଲି ଚିତ୍କାର କରୁଥିଲେ । ସରକାରକୁ ଆସିଲେ ୧୦୦ ଦିନରେ ଦାବି ପୂରଣ ହେବାର ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ନେଲେ । ୧୦୦ ଦିନ ଯାଇ ୨୦୦ ଦିନ ବିତିଲାଣି, ହେଲେ ପ୍ରତିଶ୍ରୁତି ପୂରଣ ନକରି ଖେଳୁଛନ୍ତି । ଯାହାକୁ ନେଇ ବିଜେପି କାର୍ଯ୍ୟାଳୟରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ କରିଛନ୍ତି ଆନ୍ଦୋଳନ । ସେପଟେ ସରକାରୀ କର୍ମଚାରୀ ସମନ୍ୱୟ ସମିତି ମଧ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ।
ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ପୂର୍ବରୁ ଆନ୍ଦୋଳନ କଲେ ଉକ୍ତ ସ୍ଥାନକୁ ଯାଇ ନାନା ପ୍ରତିଶ୍ରୁତି ଦେଉଥିଲା ବିଜେପି । ଏବେ ଶାସନ ମଙ୍ଗ ଧରିବା ପରେ ସବୁ ଭୁଲିଯାଇଛି । ବିଜେପି ସରକାରଙ୍କ ଏଭଳି ଛଳନାକୁ ନେଇ ଅଭିନବ ଢଙ୍ଗରେ ପ୍ରତିବାଦକୁ ଓହ୍ଲାଇଛନ୍ତି ଶତାଧିକ ଅଧ୍ୟାପକ, କର୍ମଚାରୀ । ବିଜେପି କାର୍ଯ୍ୟାଳୟକୁ ଆସି ନିଜ ହକ୍ ପାଇଁ ଅଡ଼ି ବସିଛନ୍ତି । ମନେ ପକାଇ ଦେଇଛନ୍ତି ନିର୍ବାଚନ ପୂର୍ବରୁ ଓ ପରେ ବିଜେପି ଦେଇଥିବା ପ୍ରତିଶ୍ରୁତି । ସରକାର ଆସିଲେ ଶହେ ଦିନ ମଧ୍ୟରେ ଦାବି ପୂରଣ ହୋଇଯିବ ବୋଲି ଦେଇଥିବା କଥା ସବୁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଏବେ ବିଭିନ୍ନ ଆଳରେ ମହାବିଦ୍ୟାଳୟ ଅଧ୍ୟାପକ, କର୍ମଚାରୀଙ୍କୁ ଭଣ୍ଡାଇ ଚାଲିଛନ୍ତି ନୂଆ ସରକାର । ପୂର୍ବରୁ ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ କର୍ମଚାରୀ ପୂର୍ଣ୍ଣ ଅନୁଦାନ ଦାବିରେ ଆନ୍ଦୋଳନରେ ବସିଥିଲେ । ସେତେବେଳର ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସାମିଲ ହୋଇ ସମର୍ଥନ ଜଣାଇଥିଲେ । ହେଲେ ଏବେ ସେ ସବୁ ଭୁଲି ଯାଇଛନ୍ତି ସରକାର । ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ୨୦୦୮ରୁ ୨୦୧୩ ବର୍ଗର ଅଧ୍ୟାପକ କର୍ମଚାରୀଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରା ନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବାକୁ ସଙ୍ଘ ଚେତାବନୀ ଦେଇଛି ।
ରାଜ୍ୟର ୪ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ମଧ୍ୟ ବିଜେପି ସରକାର ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନପିଏସ ସହିତ ୟୁପିଏସ ନିଷ୍ପତ୍ତିକୁ ସରକାରୀ କର୍ମଚାରୀ ବିରୋଧ କରୁଥିବାବେଳେ ରାଜ୍ୟ ସରକାର କିନ୍ତୁ ଚୁପ୍ । ଅନ୍ୟ କିଛି ରାଜ୍ୟରେ ପୁରୁଣା ପେନସନ ସ୍କିମ ଲାଗୁ ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଆଇନକୁ ଜୋରଜବରଦସ୍ତ ଲଦି ନଦେବାକୁ ଚେତାବନୀ ଦିଆଯାଇଛି । ସରକାରୀ କର୍ମଚାରୀଙ୍କ ହକକୁ ଅଣଦେଖା କରି ରାଜ୍ୟରେ ୟୁପିଏସ ଲାଗୁ କଲେ ସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛି ମହାସଂଘ । ସେପଟେ ବିଜେପିର କହିବା କଥା ସବୁ ସମାଧାନ ହେବ, ସମସ୍ତେ ଧୈର୍ଯ୍ୟ ଧରନ୍ତୁ ।
ରାଜ୍ୟ ସରକାରଙ୍କୁ ସାତ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ବର୍ଗର ଦାବି ପୂରଣ କରିବା କିମ୍ବା ରାଜ୍ୟର ସ୍ୱାର୍ଥ ସାଧନ ପାଇଁ କିଛି ଠୋସ ନିଷ୍ପତ୍ତି ନିଆଯିବା ଦେଖିବାକୁ ମିଳୁନାହିଁ । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ସେସବୁ ଭୁଲିଯାଇଥିବାରୁ ଅସନ୍ତୋଷ ତୀବ୍ର ହେଉଛି ।