ବିଜେପିକୁ ଥଇଥାନ ଚିନ୍ତା: ପଦବୀ କମ, ଆଶାୟୀ ଅଧିକ
ଭୁବନେଶ୍ବର: ସଂଗଠନରୁ ସରକାର, ସବୁଠି ବିଜେପିର ଅଧାଗଢ଼ା ଟିମ୍ । କାହିଁକି ପୂର୍ଣ୍ଣ ଟିମ ଗଠନ କରିପାରୁନି ବିଜେପି । ତାହାକୁ ନେଇ ଦଳ ଭିତରେ ଚାଲିଛି ଅନେକ ଚର୍ଚ୍ଚା । ସରକାର ଗଠନର ୭ ମାସ ପରେ ବି ଛିଡୁନି ନିଗମ ବଣ୍ଟା । ପଦଠାରୁ ଆଶାୟୀ ଅଧିକ ଥିବାରୁ ଚୟନ ପ୍ରକ୍ରିୟା ବିଳମ୍ବ ହେଉଛି ବୋଲି କହିଛନ୍ତ ବିଧାୟକ । ଠିକ ସମୟରେ ଶୀର୍ଷ ନେତୃତ୍ବ ଉଚିତ ଲୋକଙ୍କୁ ଦାୟିତ୍ବ ଦେବେ । ହେଲେ ଦଳର ଆଉ କିଛି ବିଧାୟକ ଏ ପ୍ରସଙ୍ଗରେ ମୁହିଁ ଖୋଲିବା ପରେ ପଦ୍ମ ଶିବିରରେ ଆରମ୍ଭ ହୋଇଛି ଚର୍ଚ୍ଚା ।
୩୭ଟି ସାଂଗଠନିକ ଜିଲ୍ଲାରୁ ୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେପି । ବାକି ରହିଛି ୧୪ ସାଂଗଠନିକ ଜିଲ୍ଲା । ସେହିପରି ମନ୍ତ୍ରିମଣ୍ଡଳରେ ଏଯାଏଁ ପୂରଣ ହୋଇନି ୬ଟି ମନ୍ତ୍ରୀ ପଦ । ୭ ମାସ ପରେ ବି ନିଗମ ବଣ୍ଟନ କରିପାରୁ ନାହାନ୍ତି ସରକାର । ସଂଗଠନଠାରୁ ଆରମ୍ଭ କରି ସରକାର ଯାଏଁ ଅଧାଗଢାରେ ଚାଲିଛି ବିଜେପି । ରାଜ୍ୟରେ ପ୍ରଥମଥର ବିଜେପି କ୍ଷମତାକୁ ଆସିଥିବାରୁ ଦଳ ଭିତରେ ଆଶାୟୀଙ୍କ ସଂଖ୍ୟା ପଦବୀଠାରୁ ଅଧିକ ରହିଛି । ଯାହାକୁ ନେଇ ସବୁଠି ଉପୁଜିଛି ଅଛିଣ୍ଡା ସ୍ଥିତି । ବିଜେପି ବିଧାୟକ ପୂର୍ଣ୍ଣ ସେଠୀ କହିଛନ୍ତି, ଆଶାୟୀ ଅଧିକ ଥିବାରୁ, ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନିଆଯିବ । ଅନ୍ୟପଟେ ବିଧାୟକ ସରୋଜ ପାଢୀଙ୍କ କହିବା କଥା, ଯାହା ନିଷ୍ପତ୍ତି ନେବେ ସରକାର । କିନ୍ତୁ ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି ଯେ, ଦଳ ପାଇଁ ଯିଏ କାମ କରିଛି ସେମାନଙ୍କୁ ଦାୟିତ୍ବ ଦିଆଯିବ । ବିଜେପି ତଣ୍ଟିରେ ନିଗମ ଓ ଜିଲ୍ଲା ସଭାପତି କଣ୍ଟା ଲାଗିଥିବା ବେଳେ ବିଧାୟକଙ୍କ ଭିନ୍ନ ଭିନ୍ନ ମତ ଦଳୀୟ ରାଜନୀତିକୁ ଉଷ୍ମ କରିଛି ।
ସେପଟେ ୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ପରେ ଦୂର ହୋଇନି ବିଜେପିର ଟେନସନ । ଜିଲ୍ଲା ସଭାପତି ଚୟନକୁ ଭିନ୍ନ ପ୍ରସଙ୍ଗ କହି ଏଡାଇ ଦେଇଛନ୍ତି ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର । ଅନ୍ୟପଟେ ବିଜେପିରେ ଆଶୟୀଙ୍କ ସଂଖ୍ୟା ଢେର ଅଧିକ ଥିବାରୁ ବଢ଼ିଛି ଶୀର୍ଷ ନେତୃତ୍ବଙ୍କ ଚିନ୍ତା ।
ବିଜେପି ବିଧାୟକଙ୍କ କହିବା ଅନୁସାରେ ଆଶାୟୀ ଅଧିକ ଥିବାରୁ ନିଗମ ଓ ବାକି ଥିବା ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇପାରୁନି । ଦଳୀୟ ନେତାଙ୍କ ଏହି ଯୁକ୍ତି ସତ ନା ଏହା ପଛରେ ରହିଛି ଆଉ କିଛି କାରଣ ତାହାକୁ ନେଇ ମୁଣ୍ଡ ଟେକିଲାଣି ଭିନ୍ନ ଭିନ୍ନ ମତ ।