spot_img

Latest Posts

ପ୍ରତିବାଦ ଓ ନାରାବାଜିରେ ଚାଲିପାରୁନି ପ୍ରଶ୍ନକାଳ କି ଶୂନ୍ୟକାଳ

ଭୁବନେଶ୍ବର : ବିଧାନସଭାରେ ଜିଦରେ ଅଟଳ ବିରୋଧୀ। ନାରୀଙ୍କୁ ସୁରକ୍ଷା ନେଇ ଗଠନ ହେଉ ଗୃହ କମିଟି। ପ୍ରତିବାଦ ଓ ନାରାବାଜିରେ ଚାଲିପାରୁନି ପ୍ରଶ୍ନକାଳ କି ଶୂନ୍ୟକାଳ। ହଟ୍ଟଗୋଳ ଯୋଗୁ ଧୋଇଯାଉଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା। ଲଗାତର ୧୨ ଦିନ ହେଲାଣି ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା। ରାଜ୍ୟରେ ଅସୁରକ୍ଷିତ ମହିଳା, ଗର୍ଭବତୀ ହେଉଛନ୍ତି ନାବାଳିକା। ତେଣୁ ସରକାର ତୁରନ୍ତ ଗୃହ କମିଟି ଗଠନ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ। ଘଣ୍ଟ ଘଣ୍ଟା, ବଇଁଶୀ ଓ ଗିନି ବଜାଇ ନିଜର ଦାବିକୁ ଦୋହରାଇଛି କଂଗ୍ରେସ। ଅନ୍ୟପଟେ ଜାତିଭିତ୍ତିକ ଜନଗଣନା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରବେଶ ପଥକୁ ଅବରୋଧ କରି ଗୃହରେ ପ୍ରତିବାଦ କରିଛି ବିଜେଡି। ବିହାରରେ ଜାତିଭିତ୍ତିକ ଜନଗଣନା ହୋଇଛି। ହେଲେ ଓଡ଼ିଶାରେ କାହିଁକି ହେଉନି ବୋଲି ପ୍ରଶ୍ନ କରିଛି ବିଜୁ ଜନତା ଦଳ। ସଂଖ୍ୟା ଯାହାର ଯେତେ, ତା ଭାଗିଦାରୀ ସେତେ ହେବା ନ୍ୟାୟକୁ ଦୋହରାଇଛି ଦଳ। ରାଜ୍ୟରେ ନୂଆ ସରକାର ଆସିଲା। ଜୁନ ଜୁଲାଇରେ ନାମଲେଖା ସରିଗଲା। ହେଲେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଲାନି। ନବୀନ ପଟ୍ଟନାୟକଙ୍କ ଶାସନରେ ସଂରକ୍ଷଣକୁ ୨୦ ପ୍ରତିଶତରୁ ୩୮.୭୫%କୁ ବୃଦ୍ଧି କରାଯାଇଥିଲା। କିନ୍ତୁ ଏବେ ବୈଷୟିକ ଶିକ୍ଷାରେ କେବଳ ୨୦ ପ୍ରତିଶତ ସଂରକ୍ଷଣ ମିଳୁଛି। ଅନୁସୂଚିତ ଜାତିଙ୍କ ପାଇଁ ୮ ଓ ଜନଜାତିଙ୍କ ପାଇଁ ୧୨ ପ୍ରତିଶତ ସଂରକ୍ଷଣ ରହୁଛି। କାହିଁକି ୪୯.୯୮ ପ୍ରତିଶତ ନ ମିଳିବ ବୋଲି ପ୍ରଶ୍ନ କରିଛି ବିଜେଡି। ସେପଟେ OBCଙ୍କୁ ଆଦୌ ସଂରକ୍ଷଣ ମିଳୁନି। ଯାହା ସେମାନଙ୍କ କ୍ଷେତ୍ରରେ ଅବିଚାର ବୋଲି ଅଭିଯୋଗ କରିଛି ଦଳ। ଜାତିଭିତ୍ତିକ ଜନଗଣନା ସହ ଏସସି ଓ ଏସଟିଙ୍କ ପାଇଁ ସଂରକ୍ଷଣ ଦାବିକୁ ଦୋହରାଇଛି ବିଜେଡି।

ବିରୋଧୀରେ ଥିବା ସମୟରେ ପଛୁଆ ବର୍ଗଙ୍କ ଅଧିକାର ପାଇଁ ଚିତ୍କାର କରୁଥିଲା ବିଜେପି। ହେଲେ ସରକାରକୁ ଆସିବା ପରେ ପଦକ୍ଷେପ ଶୂନ। ବାରମ୍ବାର ଗୃହକୁ ମୁଲତବି କରି ସରକାରୀ ଦଳ କି ଆଲୋଚନା କଥା କହୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜୁ ଜନତା ଦଳ।

ଗୃହରେ ବାଜା କି ହୁଇସିଲ ନ ବଜାଇବାକୁ ଉପବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ବି ବିଧାନସଭାରେ ବାଜା ବଜାଇ ପ୍ରତିବାଦ ଜାରି ରଖିଥିଲା କଂଗ୍ରେସ। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି। ନାରୀ ସୁରକ୍ଷା ପାଇଁ ଗୃହ କମିଟି କରୁନଥିବାରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିବାଦ ଜାରି ରଖିଛି କଂଗ୍ରେସ। ନିଲମ୍ବନ ଓ ମୁଲତବିରେ ଚାଲିଛି ଗୃହକାର୍ଯ୍ୟ। ହେଲେ ବିରୋଧୀଙ୍କୁ ନେଇ କିପରି ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସମାଧାନର ବାଟ ବାହାରିବ, ସେଥିପାଇଁ ସରକାରୀ ଦଳ କି ବାଚସ୍ପତି ସଚେତନ ନଥିବା ନେଇ ଚର୍ଚ୍ଚା ଜୋର ଧରିଛି।

Latest Posts

Don't Miss