ଓଡ଼ିଶା ବିଧାନସଭାର ମୂଲ୍ୟବାନ ବିବରଣୀ ଓ ତଥ୍ୟର ଡିଜିଟାଇଜେସନ୍ ଆରମ୍ଭ

ଭୁବନେଶ୍ୱର: ଇତିହାସକୁ ସୁରକ୍ଷା ଦେବା ଆମର ପ୍ରମୁଖ କର୍ତ୍ତବ୍ୟ । ଓଡ଼ିଶା ବିଧାନସଭାର ବହୁ ମୂଲ୍ୟବାନ ବିବରଣୀ, ତଥ୍ୟ, ଦସ୍ତାବିଜ୍ , ନଥିପତ୍ର ଓ ଗ୍ରନ୍ଥଗୁଡ଼ିକର ଡିଜିଟାଇଜେସନ୍ କାର୍ଯ୍ୟର ଶୁଭାରମ୍ଭ କରି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏହା ପ୍ରକାଶ କରିଛନ୍ତି । ବହୁ ପୁରୁଣା ବିବରଣୀ, ତଥ୍ୟ, ଦସ୍ତାବିଜ୍, ନଥିପତ୍ର ଓ ଗ୍ରନ୍ଥଗୁଡ଼ିକକୁ ଡିଜିଟାଇଜେସନ୍ ମାଧ୍ୟମରେ ସୁରକ୍ଷିତ ରଖାଯାଇପାରିବ । ଏଗୁଡ଼ିକ ପିଡିଏଫ୍ ଆକାରରେ ଗୋଟଇଏ ପ୍ଳାଟଫର୍ମରେ ମିଳିପାରିବ, ଯାହା ଆଗାମୀ ପିଢ଼ି ପାଇଁ ସହାୟକ ହେବ ।

Winter session of Odisha assembly to start from December 1

ମାନ୍ୟବର ବାଚସ୍ପତିଙ୍କ ନିରନ୍ତର ପ୍ରଚେଷ୍ଟା ଓ ପ୍ରୋତ୍ସାହନ ଏବଂ ରାଷ୍ଟ୍ରୀୟ ସୂଚନା କେନ୍ଦ୍ରର ବୈଷୟିକ ସହାୟତାରେ ଡିଜିଟାଇଜେସନ୍ ସମ୍ଭବ ହେବାକୁ ଯାଉଛି ବୋଲି ବରିଷ୍ଠ ବିଧାୟକ ତଥା ବିଧାନସଭା ପୁସ୍ତକ ଚୟନ ଉପ କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ପ୍ରକାଶ କରିଛନ୍ତି । ଓଡ଼ିଶା ବିଧାନସଭା ଟିଭି ପ୍ରସ୍ତୁତ କରାଯାଇଛି । ଏହାର ଚାରୋଟି ଅଙ୍ଗ ରହିବ । ଯଥା ବିଧାନସଭା ସମାଚାର,  ସଂସ୍କୃତିର ଆଇନା,  ପ୍ରଗତିର ପ୍ରତିଫଳ ଏବଂ ପ୍ରଜ୍ଞା ପରିଚୟ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ରାଷ୍ଟ୍ରୀୟ ସୂଚନା କେନ୍ଦ୍ରର ଓଡ଼ିଶା ମୁଖ୍ୟ କବିତା ରୟ ଦାସ, ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ବିଧାନସଭା ଉପନିର୍ଦ୍ଦେଶିକା ଗ୍ରନ୍ଥାଗାର ଆରତୀ ମିଶ୍ର ପ୍ରମୁଖ ଶୁଭାରମ୍ଭ ସମୟରେ ଉପସ୍ଥିତ ଥିଲେ ।

ଦସ୍ତାବିଜ୍, ନଥିପତ୍ର ଓ ଗ୍ରନ୍ଥଗୁଡ଼ିକ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି । ଡିଜିଟାଇଜେସନ୍ କରିବା ଦ୍ୱାରା ଏହି ମୂଲ୍ୟବାନ ସମ୍ପତ୍ତକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ଡିଜିଟାଇଜେସନର ଶୁଭାରମ୍ଭ କରି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ବିଭିନ୍ନ ଆକାର ଓ ପ୍ରକାରର ନଥିପତ୍ର, ଦସ୍ତାବିଜ ଓ ଗ୍ରନ୍ଥଗୁଡ଼ିକୁ ପିଡିଏଫ୍ ଆକାରରେ ଗୋଟିଏ ପ୍ଳଟଫର୍ମରେ ସଂରକ୍ଷିତ କରାଯିବ । ଜନସାଧାରଣ, ମୁଖ୍ୟତଃ ଗବେଷକମାନେ ସୁବିଧାରେ ଗୁଣାତ୍ମକ  ଦସ୍ତାବିଜଗୁଡ଼ିକୁ ପାଇବା ସହିତ ସ୍ଥାନ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ବାଚସ୍ପତି ଡ. ପାତ୍ର ପ୍ରକାଶ କରିଛନ୍ତି ।