ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ବିରୋଧୀଙ୍କ ହୋହଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା ଓ ନାରାବାଜି । ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ପାରିତ ପରେ ପ୍ରଶ୍ନକାଳ ଆରମ୍ଭ କରିଥିଲେ ବାଚସ୍ପତି । ଏହି ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜ ଆସନରେ ଠିଆ ହୋଇ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ କରିବା ସହ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ ।

ପରେ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଓ ଅନ୍ୟ ବିଜେପି ସଦସ୍ୟ ନାରାବାଜି କରି ଗୃହ ମଧ୍ୟଭାଗକୁ ଚାଲି ଆସିଥଲେ । ଶୂନକାଳରେ ଏହି ପ୍ରସଙ୍ଗ ଉଠାଇବାକୁ କହିଥିଲେ ବାଚସ୍ପତି । ହେଲେ ମାନିବାକୁ ନାରାଜ ଥିଲେ ବିଜେପି ସଦସ୍ୟ । ବିଜେପିକୁ ସମର୍ଥନ ଜଣାଇ କଂଗ୍ରେସ ସଦସ୍ୟ ମଧ୍ୟ ହୋହଲ୍ଲା କରିଥିଲେ । ଅଚଳାବସ୍ଥା ଜାରି ରହିବାରୁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ ବାଚସ୍ପତି ।