ତିନିଦିନ ପରେ ସୁରୁଖୁରୁରେ ଚାଲିଲା ବିଧାନସଭା, ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ

1 min read

ଭୁବନେଶ୍ୱର: ତିନି ଦିନ ପରେ ସ୍ବାଭାବିକ ହୋଇଛି ବିଧାନସଭା । ଆଜି ସୁରୁଖୁରୁରେ ଚାଲିଛି ଗୃହ। ବିଭିନ୍ନ ବିଭାଗ ନେଇ ବିଧାୟକମାନେ ପ୍ରଶ୍ନ ପଚାରିଥିବା ବେଳେ ମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି। ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଉତ୍ତର ରଖିଛନ୍ତି ଯେ – ୨୦୨୧-୨୨ ରେ ପାହାଡିଆ ଓ ଅଣ ବିଦ୍ୟୁତ୍ ଅଞ୍ଚଳକୁ ଦୃଷ୍ଟିରେ ରଖି ୨୭ ଜିଲ୍ଲାରେ ସୌର ଚଳିତ ବୋରୱେଲ ପମ୍ପ ବ୍ୟବସ୍ଥା କରାଯାଇଛି। କେବଳ ଭଦ୍ରକ, ପୁରୀ ଓ କେନ୍ଦ୍ରାପଡ଼ାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇନି। ସୌର ଚଳିତ ବୋରୱେଲ ପମ୍ପ ପାଇଁ 2୦୨୨-୨୩ ରେ ୩୦ ଦିନ ପାଇଁ ଅନଲାଇନ ଆବେଦନ ପାଇଁ ଆହ୍ୱାନ ଦିଆଯାଇଥିଲା । ସେହିପରି ୨୦୨୩-୨୪ ରେ ୭୨ ହଜାର ୧୮ ଚାଷୀ ସୌର ଚଳିତ ବୋରୱେଲ ପମ୍ପ ପାଇଁ ଆବେଦନ କରିଛନ୍ତି । ଓରେଡା ମାଧ୍ୟମରେ ପିଏମ୍ କୁସୁମ-C ଯୋଜନା ଜରିଆରେ ତିନୋଟି ପର୍ଯ୍ୟାୟରେ କମ୍ପାନୀ ତାଲିକାଭୁକ୍ତ ହୋଇଛି। Oreda ର କାର୍ଯ୍ୟକାରିତା ନେଇ ଯେଉଁ ଅସନ୍ତୋଷ ଦେଖା ଦେଇଛି, ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଯତ୍ନବାନ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ସେପଟେ ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କା ପାଇଁ ବ୍ୟୟ ମଂଜୁରୀ ଅଣାଯାଇଥିଲା। ଏବେ ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ । ଏହା ମୋହନ ସରକାରର ପ୍ରଥମ ବଜେଟ । ମୁଖ୍ଯମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ । ପାଖାପାଖି ତିନି ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଆଣିପାରନ୍ତି ସରକାର। ପ୍ରଥମ ବଜେଟରେ ରାଜ୍ୟବାସୀଙ୍କୁ କି ଭେଟି ଦେଉଛନ୍ତି ନୂଆ ସରକାର ତାହା ଉପରେ ସଭିଙ୍କ ନଜର ରହିଛି ।