ରାଜ୍ଯରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ । ୧୮ ଆଇଏଏସଙ୍କ ବଦଳି କରିଛନ୍ତି ରାଜ୍ଯ ସରକାର। ୧୯୯୧ ବ୍ୟାଚର  ବରିଷ୍ଠ ଆଇଏଏସ ସତ୍ଯବ୍ରତ ସାହୁ ହୋଇଛନ୍ତି ଗୃହ ବିଭାଗ ଅତିରିକ୍ତ ମୁଖ୍ଯ ସଚିବ । ବଦଳିଛନ୍ତି ଏସଆରସି ସତ୍ଯବ୍ରତ ସାହୁ । ଓଏମସି ଚେୟାରମ୍ୟାନ ତଥା ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ଦେଓରଞ୍ଜନ ସିଂଙ୍କୁ ଏସଆରସି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ଯ ସରକାର । ଏହାସହିତ ସେ ଓସଡମା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇବେ । ସୁରେନ୍ଦ୍ର କୁମାରଙ୍କୁ ପର୍ଯ୍ୟଟନ ବିଭାଗ ସହ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି। ସେ ସାଧାରଣ ପ୍ରଶାସନ, ସଂସଦୀୟ ବ୍ଯାପାର ଓ ଓଏମସି ଅଧ୍ଯକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି ।

ବିଷ୍ଣୁପଦ ସେଠୀ ଓଡ଼ିଆ ଭାଷା, ସାହିତ୍ଯ ଏବଂ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଉଷା ପାଢୀ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି ।  ସେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ବିଶାଲ ଗଗନ ନୂଆଦିଲ୍ଲୀରେ ରେସିଡେଣ୍ଟ କମିଶନର ଭାବେ ନିଯୁକ୍ତ ହୋଇଥିବାବେଳେ ଏନବିଏସ ରାଜପୁତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ସେହିପରି  ଶାଳିନ ପଣ୍ଡିତ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି ହୋଇଛନ୍ତି । ଅଶ୍ବଥି ଏସ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗର ସଚିବ ହୋଇଛନ୍ତି । ଅନୁସୂଚିତ ଜାତି-ଜନଜାତି ବିଭାଗର କମିଶନର ଥିବା ରୁପା ରୋଶନ ସାହୁଙ୍କୁ ଦକ୍ଷିଣାଂଚଳ ଆରଡିସି ଭାବେ ବଦଳି କରାଯାଇଛି । ସଚିନ ରାମଚନ୍ଦ୍ର ଯାଦବ ଉତ୍ତରାଞ୍ଚଳ ଆରଡିସି ଭାବେ ନିଯୁକ୍ତି ପାଇଛନ୍ତି ।

ବଳବନ୍ତ ସିଂହଙ୍କୁ ପର୍ଯ୍ୟଟନ ବିଭାଗର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ୟାମିନି ଷଡ଼ଙ୍ଗୀଙ୍କୁ ସିଟି ଜିଏସଟି କମିଶନର ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।  ବି ପରମେଶ୍ୱରନଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଏନ ଥିରୁମାଲା ନାୟକଙ୍କୁ ବିଡିଏର ଭାଇସ ଚେୟାରମ୍ୟାନ ଭାବେ ବଦଳି କରାଯାଇଛି । ସମର୍ଥ ବର୍ମାଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ, ଅନନ୍ୟା ଦାସଙ୍କୁ ଓସେପାର ନିର୍ଦ୍ଦେଶିକା ଭାବେ ବଦଳି କରାଯାଇଛି ।