ପାକିସ୍ତାନକୁ ତଥ୍ୟ ଦେଇ ବନ୍ଧାହେଲେ ଓଡ଼ିଆ ଯବାନ, ମାଆ କହିଲେ ‘ମୋ ପୁଅ ଏମିତି ନୁହେଁ’
1 min readଆସିକା: ପୁଅ ପେଟ ପୋଷୁଥିଲା । ପରିବାର ଚଳାଉଥିଲା । ବିଚିତ୍ର ବହୁତ ଭଲ । ସେ ଏମିତି କାମ କରିନଥିବ । ତାକୁ ଛାଡ଼ି ଦିଆଯାଉ ।ପାକିସ୍ତାନୀ ISIର ମହିଳା ଏଜେଣ୍ଟଙ୍କ ସହ ସମ୍ପର୍କ ଅଭିଯୋଗରେ ଯବାନ ପୁଅ ଗିରଫ ପରେ ଭାଙ୍ଗି ପଡ଼ିଛି ପୂରା ପରିବାର । ସ୍ତବ୍ଧ ହୋଇଯାଇଛି ଗଞ୍ଜାମ ଜିଲ୍ଲା ଆଙ୍କରଡ଼ା ଗାଁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ବିଚିତ୍ର ଏମିତି କାମ କରି ନଥିବ । ଭାଇକୁ ଫସାଇ ଦିଆଯାଇଥିବା ବିଚିତ୍ରଙ୍କ ସାନଭାଇ କହିଛନ୍ତି ।
ରାଜସ୍ଥାନ ପୋଖରାନରେ ମୁତୟନ ଓଡ଼ିଆ ଯବାନ ବିଚିତ୍ରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଘରକୁ ଆସୁଥିବା ବେଳେ ଯୋଧପୁର ରେଲୱେ ଷ୍ଟେସନରୁ ବିଚିତ୍ରଙ୍କ ସହ ଅନ୍ୟଜଣେ ଯବାନକୁ ସିବିଆଇ ଓ ଆଇବି ଧରିଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ଆଉ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଖୋଳତାଡ଼ ପରେ ବିଚିତ୍ରକୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣଙ୍କୁ ଛାଡ଼ି ଦିଆଯାଇଛି ।
ଅଭିଯୋଗ ଅନୁସାରେ ସୋସିଆଲ୍ ମିଡିଆ ମାଧ୍ୟମରେ ବିଚିତ୍ର ପାକିସ୍ତାନ ଆଇଏସଆଇର ଜଣେ ମହିଳା ଏଜେଣ୍ଟକୁ ଦେଶର ଗୁପ୍ତ ତଥ୍ୟ ଦେଇଛନ୍ତି । ଏଥିପାଇଁ ବିଚିତ୍ର କିଛି ଟଙ୍କା ମଧ୍ୟ ପାଇଥିବା ଜଣାପଡ଼ିଛି । ରାଜସ୍ଥାନ ଡିଜିପି ଉମେଶ ମିଶ୍ର କହିଛନ୍ତି, ପାକିସ୍ତାନର ଆଇଏସଆଇ ଏଜେଣ୍ଟ ଜଣଙ୍କ ବିଚିତ୍ରଙ୍କ ସହ ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତ୍ୱ ବଢ଼ାଇଥିଲେ । ଏହାପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗିଥିଲେ । ବିଚିତ୍ର ହ୍ୱାଟ୍ସଆପରେ ଏକ ଭିଡିଓ କ୍ଲିପ ଜରିଆରେ ସେସବୁ ତଥ୍ୟ ଦେଇଥିବା ଜଣାପଡ଼ିଛି । ବିଚିତ୍ର ୨ ବର୍ଷ ହେଲା ଉକ୍ତ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ । ସେ ସିନ୍ଧୁ ସୁଦର୍ଶନ ପ୍ରକଳ୍ପ ବାବଦରେ ଗୁପ୍ତ ତଥ୍ୟ ଦେଇଥିବା ତଦନ୍ତରୁ ଜଣାପଡ଼ିଛି । ')}