ନନ୍ଦିଘୋଷ ବ୍ୟୁରୋ: ଆନ୍ଦୋଳନ ନାଁରେ ଆତଙ୍କରାଜ ଓ ହିଂସାକୁ କଡ଼ା ହସ୍ତରେ ଦମନ କରିବାକୁ ଏବେ ଆକ୍ସନ ମୋଡ୍ରେ ପୋଲିସ ଓ ପ୍ରଶାସନ। ସହର ସାରା ଛାପା ଓ ଗଳି କନ୍ଦିରେ ଚଢ଼ାଉ ଜାରି ରହିଛି। ଗତକାଲି ରାଜରାସ୍ତାରେ ଆନ୍ଦୋଳନ କରିଥିବା ଅନଲାଇନ୍ ଅଟୋ ଚାଳକ ସଂଘର ସଦସ୍ୟଙ୍କ ବିରୋଧରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ପୋଲିସଙ୍କୁ ଆକ୍ରମଣ, ଆମ ବସ୍ ଭଙ୍ଗାରୁଜା ଓ ପୋଲିସ ଗାଡ଼ି ଉପରକୁ ଢେଲାମାଡ଼ ଘଟଣାରେ ଗତକାଲି ଅଟକ ଥିବା ୧୭୩ ଜଣଙ୍କ ମଧ୍ୟରୁ ୧୧୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଅନ୍ୟ ୬୦ ଜଣଙ୍କୁ ପିଆର୍ ବଣ୍ଡରେ ଛାଡ଼ି ଦିଆଯାଇଛି। ଘଟଣାରେ ୩୫୪ଟି ଗାଡ଼ି ଜବତ ହୋଇଥିବା ବେଳେ ଖାରବେଳନଗର ଥାନାରେ ମୋଟ ୭ଟି ଏଫ୍ଆଇଆର୍ ରୁଜୁ ହୋଇଛି। ଏଥିରୁ ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ୨ଟି, ଆମ ବସ୍ କର୍ମଚାରୀଙ୍କ ଅଭିଯୋଗରେ ୪ଟି ଏବଂ ପୋଲିସ କର୍ମଚାରୀଙ୍କ ଅଭିଯୋଗରେ ଗୋଟିଏ ଏଫ୍ଆଇଆର୍ ରହିଛି।
ସେପଟେ ମୋଟର ଯାନ ଆଇନ ଅନୁଯାୟୀ ୩୮୦ରୁ ଊର୍ଦ୍ଧ୍ୱ ଗାଡ଼ି ମାଲିକଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଅଭିଯୁକ୍ତ ଗାଡ଼ି ମାଲିକଙ୍କ ପରମିଟ୍ ଓ ଆର୍ସି ବାତିଲ କରିବା ସହ ଆବଶ୍ୟକସ୍ଥଳେ ଡ୍ରାଇଭିଂ ଲାଇସେନ୍ସ ବାତିଲ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ସିସିଟିଭି ଫୁଟେଜ୍ ଆଧାରରେ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ଆଗାମୀ ଦିନରେ ଅଭିଯୁକ୍ତ ଡ୍ରାଇଭରମାନେ ଯେପରି ଗାଡ଼ି ଚଳାଇ ପାରିବେ ନାହିଁ, ସେନେଇ ମଧ୍ୟ ବିଚାରବିମର୍ଶ ଚାଲିଛି। ମାଷ୍ଟରକ୍ୟାଣ୍ଟିନ୍ ଛକରେ ସରକାରୀ ଜମିରେ ଅସ୍ଥାୟୀ ଟେଣ୍ଟ କରି ଆନ୍ଦୋଳନ କରୁଥିବା ଡ୍ରାଇଭର ସଂଘ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି। ଅସ୍ଥାୟୀ ଟେଣ୍ଟ ଭାଙ୍ଗିବା ସହ ସେଠାରେ ବୁଲଡୋଜର ଚାଲିଛି। ନିଜ ହକ୍ ପାଇଁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିବା ଅଧିକାର ସମସ୍ତଙ୍କର ରହିଛି। କିନ୍ତୁ ଦାବି ପୂରଣ ପାଇଁ ସାଧାରଣ ଲୋକଙ୍କୁ ଅକଥନୀୟ ନିର୍ଯାତନା ଦେବା, ସରକାରୀ ସମ୍ପତ୍ତି ନଷ୍ଟ କରିବା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିବା ଘଟଣାକୁ ରାଜଧାନୀବାସୀ ନାପସନ୍ଦ କରିଛନ୍ତି।

