କମ୍ପିବ ବାରବାଟୀ, ଓଡ଼ିଆ ପୁଅଙ୍କ କମ୍ପୋଜିସନରେ ଝୁମିବ ବିଶ୍ବ

ଭୁବନେଶ୍ବର: ଓଡ଼ିଆ ପୁଅଙ୍କ କମ୍ପୋଜିସନରେ ଝୁମିବ ବିଶ୍ବ, କମ୍ପିବ ବାରବାଟୀ । ଆସନ୍ତା ୧୧ତାରିଖରେ କଟକରେ ଆୟୋଜିତ ହେବ ହକି ବିଶ୍ବକପ ଉଦଘାଟନୀ ଉତ୍ସବ । ଏଥିପାଇଁ ହକି ଆନ୍ଥେମର କମ୍ପୋଜିସନ ପ୍ରସ୍ତୁତ କରିଛନ୍ତି ଓଡିଶାର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଫେଡେରେସନ ଅଫ ଇଣ୍ଡିଆନ ହକି ପ୍ରସ୍ତୁତ ସଂଗୀତରେ ସ୍ବର ସଂଯୋଜନା କରି ଗୌରବ ଆଣିଛନ୍ତି ପ୍ରେମାନନ୍ଦ ।

ଗୀତଟିକୁ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ସୁଖବିନ୍ଦର ସିଂ ଗାଇଥିବା ବେଳେ ଏହାର ରଚନା କରିଛନ୍ତି ସମୀର ପ୍ରେମାନନ୍ଦ । ମୁମ୍ବାଇରେ ଗୀତଟିର ରେକଡିଂ ସହିତ ଭିଡ଼ିଓ ସୁଟିଂ ହୋଇଛି । ଓଡ଼ିଶା ଲଗାତାର ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରି ନୂଆ ରେକର୍ଡ କରିଛି । ଏହି ଗୌରବମୟ ଅଧ୍ୟାୟରେ ଆଉ ଏକ ଗୌରବ ଯୋଡିଛନ୍ତି ପ୍ରେମାନନ୍ଦ ।

ଓଡିଶା ହକି ବିଶ୍ବକପର ଆୟୋଜକ ହୋଇଥିବା ବେଳେ ଏହାର ହକି ଆନ୍ଥେମର ସ୍ବର ସଂଯୋଜନା କରି ବିଶ୍ବରେ ଓଡ଼ିଶା କଳାର ନିଦର୍ଶନ ଦେଖାଇଛନ୍ତି ପ୍ରେମାନନ୍ଦ । ଆସନ୍ତା ୧୧ ତାରିଖରେ ଯେତେବେଳେ ଓଡିଶାରେ ଉଦଘାଟନୀ ଉତ୍ସବ ସହିତ ଓଡିଆ ପୁଅଙ୍କ କମ୍ପୋଜିସନରେ ବିଶ୍ବ ଝୁମିବ ସେତେବେଳେ ଆହୁରି ଗର୍ବିତ ହୋଇ ଉଠିବ ଓଡ଼ିଶା । ଗତଥର ବିଶ୍ବକପରେ ଲିଜେଣ୍ଡାରୀ ସଙ୍ଗିତ ନିର୍ଦ୍ଦେଶକ ଏଆର ରେହେମାନ କମ୍ପୋଜିସନ କରିଥିଲେ ।