ଆସୁଛି ଅକ୍ଟୋବର: ଓଡ଼ିଶାକୁ ଘାରିଲାଣି ବାତ୍ୟା ଭୟ

1 min read

ଆସୁଛି ଅକ୍ଟୋବର। ଓଡ଼ିଶାକୁ ଘାରିଲାଣି ବାତ୍ୟା ଭୟ। ଅତୀତରେ ଅକ୍ଟୋବରରେ ଅନେକ ବାତ୍ୟା ଆସିଥିବାରୁ ଆସନ୍ତା ଅକ୍ଟୋବରକୁ ନେଇ ବି ସସପେନ୍ସ। ୧୯୯୯ ଅକ୍ଟୋବର ୨୯ରେ ସୃଷ୍ଟି ହୋଇଥିବା ମହାବାତ୍ୟାରେ ଛାରଖାର ହୋଇଯାଇଥିଲା ଓଡ଼ିଶା। ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ। ୨୦୧୩ ଅକ୍ଟୋବର ୧୨ରେ ଓଡ଼ିଶା ଛୁଇଁଥିଲା ବାତ୍ୟା ଫାଇଲିନ୍। ଦକ୍ଷିଣ ଓଡ଼ିଶାରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି  । ୨୦୧୪ ଅକ୍ଟୋବର ୧୨ରେ ଆସିଥିଲା ବାତ୍ୟା ହୁଡୁହୁଡ। ଉପକୂଳ ଓଡ଼ିଶାରେ ରଚିଥିଲା ତାଣ୍ଡବ। ୨୦୧୮ ଅକ୍ଟୋବର ୧୦ରେ ଆସିଥିଲା ବାତ୍ୟା ତିତଲି। ୨୦୧୯ ଅକ୍ଟୋବର ୨୯ରେ ଆସିଥିଲା ବୁଲବୁଲ। ଘଟାଇଥିଲା ଅନେକ କ୍ଷତି। କେବଳ ଏତିକି ନୁହେଁ ୨୦୨୪ରେ ବି ଆସିଥିଲା ବାତ୍ୟା ଦାନା। ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏଁ ଜଳବାୟୁ ପ୍ରକ୍ରିୟା ଲା-ନିନାର ସକ୍ରିୟତା ରହିଛି ଯେଉଁଥି ପାଇଁ ବାତ୍ୟାକୁ ନେଇ ବଢୁଛି ଚିନ୍ତା । ନେଗେଟିଭ୍ ଆଇଓଡି ଓ ଲା-ନିନା ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ନିମନ୍ତେ ପରିବେଶକୁ ଅନୁକୂଳ କରିଥାଏ। ସାମୁଦ୍ରିକ ତାପମାତ୍ରା ୨୬.୫ ଡିଗ୍ରୀରୁ ଅଧିକ ରହିଲେ ଏହା ମଧ୍ୟ ବାତ୍ୟା ସୃଷ୍ଟି ସାଙ୍ଗକୁ ବାତ୍ୟାକୁ ଅଧିକ ଘନୀଭୂତ କରାଏ। ଚଳିତ ବର୍ଷ ଏହି ସବୁ ସ୍ଥିତି ଅନୁକୂଳ ରହୁଥିବାରୁ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଦୃଢ଼ୀଭୂତ କରିଛି। ବିଶ୍ୱ ପାଣିପାଗ ସଂସ୍ଥା ସହ ଅନେକ ପାଣିପାଗ ବିଜ୍ଞାନୀ ଭାରତର ପୂର୍ବ ଉପକୂଳ ଓ ବିଶେଷ କରି ଆନ୍ଧ୍ରରୁ ପଶ୍ଚିମବଙ୍ଗ ଅଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।

ବାତ୍ୟାଗୁଡ଼ିକ ଉଭୟ ମୌସୁମୀ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀକାଳୀନ ସମୟରେ ସୃଷ୍ଟି ହେଉଛି। ସେହିପରି ଭୀଷଣ ବାତ୍ୟା କିମ୍ୱା ଏହାଠାରୁ ଅଧିକ ଶକ୍ତିଶାଳୀ ହେଉଥିବା ବାତ୍ୟାର ସଂଖ୍ୟା ମୌସୁମୀ ପରବର୍ତ୍ତୀ ସମୟରେ ବଙ୍ଗୋପସାଗରରେ ବୃଦ୍ଧି ପାଉଛି। ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ପ୍ରାୟତଃ ବାତ୍ୟା ସଂଗଠିତ ହୋଇଥାଏ। କିନ୍ତୁ ଏବେ ଠାରୁ ଆକଳନ କରିହେବ ନାହିଁ। ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ। ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଛତିଶଗଡ଼ ଆଡ଼କୁ ୪୮ ଘଣ୍ଟା ମଧ୍ୟରେ ଗତି କରିବ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ନେଇ ସତର୍କତା ଜାରି ହୋଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।