ଲୋକସଭାରେ ପାରିତ ହେଲା ଓବିସି ସଂଶୋଧନ ବିଲ୍

ନୂଆଦିଲ୍ଲୀ: ଏଣିକି ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବ ରାଜ୍ୟ! ମଙ୍ଗଳବାର ସଂସଦରେ ଏ ସମ୍ପର୍କିତ ସଂଶୋଧନ ବିଲ ପାରିତ ହୋଇଛି ।। ୭ ରାଜ୍ୟର ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଓବିସି ବିଲ୍ ଗୃହୀତ କରିବା ଲାଗି ଜୋରଦାର କସରତ ଚାଲିଥିଲା । ପେଗାସସ ମାମଲାରେ ସରକାରଙ୍କୁ ବିରୋଧ କରୁଥିବା ବିରୋଧୀ ଓବିସି ବିଲକୁ କିନ୍ତୁ ସମର୍ଥନ କରିଛନ୍ତି । ଓବିସି ସଂଶୋଧନ ବିଲ୍ ଆଜି ଲୋକସଭାରେ ପାସ୍ ହୋଇଛି। ଏହି ଓବିସି ସଂଶୋଧନ ବିଲ୍ ସପକ୍ଷରେ ଲୋକସଭାରେ ଉପସ୍ଥିତ ଥିବା ସମସ୍ତ ୩୮୫ ସାଂସଦ ଭୋଟ ଦେଇଥିବା ବେଳେ ଜଣେ କେହି ବି ଏହା ବିରୋଧରେ ମତ ଦେଇନାହାନ୍ତି।
ଲୋକସଭାରେ ବିଲ୍ ପାରିତ ହୋଇଥିବାରୁ ଏବେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ସେଠାରେ ମଧ୍ୟ ଏହା ପାସ ହୋଇଯିବ ଏବଂ ଆଇନରେ ପରିଣତ ହେବା ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦ ଲାଗି ପଠାଯିବ । ଏହି ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଲେ ରାଜ୍ୟମାନେ ତିଆରି କରିବେ ଓବିସି ତାଲିକା । ୧୦୨ତମ ସମ୍ବିଧାନ ସଂଶୋଧନ ଯୋଗୁ ଓବିସି ତାଲିକା ପ୍ରସ୍ତୁତ କରିବା କ୍ଷମତା ରାଜ୍ୟ ହାତରୁ ଚାଲିଯାଇଥିଲା । ଯଦି ରାଜ୍ୟଗୁଡିକର ତାଲିକା କରିବା କ୍ଷମତା ରହିବ ନାହିଁ ତେବେ ଦେଶରେ ୬୭୧ ଓବିସି ଜାତି ଏହି ସୁବିଧାରୁ ବଞ୍ଚିତ ହେବେ । ସେପଟେ ବିଲକୁ ସମର୍ଥନ କରିଛି ବିଜେଡି । ହେଲେ ରାଜ୍ୟ ତାର ସ୍ୱତନ୍ତ୍ର ପଛୁଆ ବର୍ଗଙ୍କ ଗଣନା କରିବ ବୋଲି ବିଜେଡି କହିଛି ।