କଲେଜ ଛାତ୍ରଛାତ୍ରୀଙ୍କୁ ମୋହନ ସରକାରଙ୍କ ବଡ଼ ଝଟକା, ବନ୍ଦ ହେଲା ନୂଆ-ଓ ଯୋଜନା

1 min read

ଭୁବନେଶ୍ବର: କଲେଜ ପିଲାଙ୍କୁ ମୋହନ ସରକାରଙ୍କ ବଡ଼ ଝଟକା । ବନ୍ଦ ହେଲା ନୂଆ-ଓ ଯୋଜନା । ଆଉ ମିଳିବନି ନୂଆ-ଓ ଛାତ୍ରବୃତ୍ତି । ପିଲାଙ୍କୁ ପାଠ ପଢିବାକୁ ସାହସ ଦେଇଥିଲେ ନବୀନ ସରକାର । ସବୁ ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳୁଥିଲା ନୂଆ-ଓ ସ୍କଲାରସିପ । ଛାତ୍ରଙ୍କୁ ବାର୍ଷିକ ୯ ହଜାର ଓ ଛାତ୍ରୀଙ୍କୁ ଦିଆଯାଉଥିଲା ୧୦ ହଜାର ଟଙ୍କା । ଏଭଳି ଐତିହାସିକ ଯୋଜନାକୁ ହଠାତ ବନ୍ଦ କରିଦେଇଛି ରାଜ୍ଯର ବିଜେପି ସରକାର ।

ଗୃହରେ ଏକ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି, ନୂଆ-ଓ ଛାତ୍ରବୃତ୍ତି ପାଇଁ ଚଳିତବର୍ଷ ବଜେଟରେ କୌଣସି ପ୍ରାବଧାନ ନାହିଁ । ଉଚ୍ଚଶିକ୍ଷାରୁ ବଞ୍ଚିତ ପିଲାଙ୍କୁ ଆର୍ଥିକ ସହାୟତା ଦେବାକୁ ଫାଇନାନସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେନ୍ସ ନାଁରେ ଏକ ଯୋଜନା ପ୍ରଣୟନ ହେଉଛି । ଯାହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି ଚାଲିଛି । ଅର୍ଥାତ ନୂଆ-ଓ ସ୍କଲାରସିପକୁ ବନ୍ଦ କରି ଦେଇଛନ୍ତି ସରକାର । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିବାବେଳେ ବିଜେପି ଜବାବ ରଖିଛି ।

ନୂଆ-ଓ ସ୍କଲାରସିପ ନବୀନ ସରକାରଙ୍କ ଯୁଗାନ୍ତକାରୀ ଯୋଜନା । ସବୁ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବାରେ ଦେଶରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । ଗତ ଫେବୃଆରୀ ୨୬ ତାରିଖରେ ଛାତ୍ରବୃତ୍ତି ବଣ୍ଟନ ଆରମ୍ଭ ହୋଇଥିଲା । କ୍ରମାଗତ ଭାବେ ୩୦ ଜିଲ୍ଲାରୁ ୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ । ପାଠପଢାରେ ସହାୟତା ପାଇଁ ପିଲାଙ୍କ ଆକାଉଣ୍ଟଙ୍କୁ ଏକାବେଳେ ଟଙ୍କା ପଠାଉଥିଲେ ନବୀନ ସରକାର । ଯାହାଦ୍ବାରା ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ଉପକୃତ ହେଉଥିଲେ ।

କେବଳ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଅଭିଭାବକଙ୍କ ପିଲା ବାଦ ପଡ଼ିଥିଲେ । ନୂଆ-ଓ କାର୍ଯ୍ୟକ୍ରମ ପାଇଁ ରଖାଯାଇଥିଲା ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ । ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ ପାଇଁ ଅଧିକ ପଏଣ୍ଟ ବ୍ୟବସ୍ଥା ବି ରହିଥିଲା । ଆଗାମୀ ଦିନରେ ନୂଆ-ଓ ମ୍ୟାଜିକ କାର୍ଡ ମାଧ୍ଯମରେ ବିଭିନ୍ନ ସୁବିଧା ଦେବାକୁ ଯୋଜନା କରିଥିଲେ ନବୀନ ସରକାର । ହେଲେ ନୂଆ ସରକାର ପିଲାଙ୍କ ଭବିଷ୍ଯତ କଥା ନଭାବି ଯୋଜନାକୁ ବନ୍ଦ କରିଦେବାକୁ ନେଇ ଛାତ୍ରଛାତ୍ରୀମାନେ ବି ପ୍ରଶ୍ନ ଉଠାଇଛନ୍ତି ।