ହାଜତରେ ମୃତ୍ୟୁ ନୁହେଁ, ଖସି ପଡ଼ି ମୁଣ୍ଡ ମାଡ଼ ହେବାରୁ ଯାଇଛି ଜୀବନ

ପୁରୀ: ହାଜତ ମୃତ୍ୟୁ ନୁହେଁ ଖସି ପଡି ମୁଣ୍ଡ ମାଡ଼ ହେବାରୁ ଅଭିଯୁକ୍ତର ମୃତ୍ୟୁ ହୋଇଛି । ପୁରୀ ହାଜତ ମୃତ୍ୟୁ ମାମଲରେ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ନବ ନିଯୁକ୍ତ ପୁରୀ ଏସପି କନୱର ବିଶାଲ ସିଂ । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ୍ ଯାଇ ଥିବା ବେଳେ ଧସ୍ତା ଧସ୍ତିରେ ଏହି ଘଟଣା ଘଟିଛି । ଘଟଣାରେ ପୋଲିସ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପୁରୀ ଏସପି ହାଇକୋର୍ଟଙ୍କୁ ଜଣାଇଛନ୍ତି । ଏହା ସହ ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ତଦନ୍ତ କରାଇବାକୁ ପୁରୀ ଜିଲ୍ଲା ଜଜ୍‌ଙ୍କୁ ଏସ୍‌ପି ନିବେଦନ କରିଥିବା ଜବାବରେ ଦର୍ଶାଇଛନ୍ତି ।

ସେପଟେ ଦାୟର ମାମଲାର ଶୁଣାଣି ବେଳେ ମୃତକଙ୍କ ବାପା ମାଙ୍କୁ ଠାବ କରିବା ସହ ସେମାନଙ୍କୁ ତୁରନ୍ତ ପ୍ରାରମ୍ଭିକ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏନଏଚଆରସି ଗାଇଡ୍‌ଲାଇନ୍‌ କଣ କହିଛି ସେ ସମ୍ପର୍କରେ ଅଦାଲତରେ ତଥ୍ୟ ରଖିବାକୁ କହିଛନ୍ତି ହାଇକୋର୍ଟ । ଏସ୍‌ପି ଦାଖଲ କରିଥିବା ଜବାବର ପ୍ରତିଜବାଵ ଦାଖଲ କରିବାକୁ ମଧ୍ୟ ଆବେଦନକାରୀଙ୍କୁ କହିଛନ୍ତି ହାଇକୋର୍ଟ ।

   

ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଯୋଗ୍ୟ ପୁରୀ ହାଜତ ମୃତ୍ୟୁ ମାମଲାରେ ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଘଟଣାର ନିରପେକ୍ଷ ତଦନ୍ତ, ଉପଯୁକ୍ତ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ କୋର୍ଟରେ ପାର୍ଥନା କରିଥିଲେ । ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଏସ୍‌ପିଙ୍କୁ ଏହି ଘଟଣାରେ ପକ୍ଷଭୁକ୍ତ କରାଯାଇଛି ।

Leave a Reply