ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନଙ୍କ ଅଜବ ଆଦେଶ

1 min read

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ କ୍ରୁର ଶାସକ କିମ୍ ଜଙ୍ଗ ଉନ ନିଜର ନୂଆ ନୂଆ ନିଷ୍ପତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଦେଶରେ ନିଜର କଟ୍ଟର ନୀତି ଏବଂ ବିବାଦୀୟ ନିଷ୍ପତ୍ତି ପାଇଁ ଉତ୍ତରକୋରିଆର ଜନତାଙ୍କ ଚିନ୍ତା ତ ବଢ଼ିଥାଏ, ସେହିପରି କେବେ କେବେ ମିସାଇଲ ପରୀକ୍ଷଣ କରି ଅନ୍ୟ ଦେଶଗୁଡିକର ଚିନ୍ତା ମଧ୍ୟ ବଢ଼ାଇଥାନ୍ତି । କିମଙ୍କୁ ନିଜର ଅଜବ ନିଷ୍ପତ୍ତି ପାଇଁ ମଧ୍ୟ ଜଣାଯାଇଥାଏ ।

ନିକଟରେ କିମ୍ ନିଜ ଦେଶ ପାଇଁ ଅଜବ ଆଦେଶ ଜାରି କରିଛନ୍ତି, ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ନିକଟରେ କିମ ନିଜ ଦେଶର ଲୋକଙ୍କୁ ନିଜ ନିଜର ପିଲାଙ୍କ ନାଁ ବମ୍ ଏବଂ ଗନ୍ ଅର୍ଥାତ ବନ୍ଧୁକ ଭଳି ନାଁ ରଖିବା ପାଇଁ ଆଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, ଏହି ଲିଷ୍ଟରେ ସାଟେଲାଇଟ ଅର୍ଥାତ ଉପଗ୍ରହ ନାଁ ମଧ୍ୟ ସାମିଲ ରହିଛି । କ୍ରୁର ଶାଶକ କିମଙ୍କ ଏହି ଆଦେଶ ଦ୍ୱାରା ସମସ୍ତେ ଚକିତ ଅଛନ୍ତି ।

ଏହି ଆଦେଶ ଆଧାରରେ Pok II ଯାହାର ଅର୍ଥ ବୋମା , Chung Sim ଯାହାର ଅର୍ଥ ଆଦେଶକାରୀ ଏବଂ Ui Song ଯାହାର ଅର୍ଥ ସାଟେଲାଇଟ ଭଳି ନାଁ ମଧ୍ୟ ରଖିବା ପାଇଁ କୁହାଯାଇଛି । ଉତ୍ତର କୋରିଆରେ ଏହି ଅଜବ ଆଦେଶ ପଛର କାରଣ ମଧ୍ୟ ଅଜବ ଅଟେ । ସୂଚନାଯୋଗ୍ୟ, କିମଙ୍କ ଅନୁସାରେ ଏହି ପ୍ରକାରର ନାଁ ଦେଶଭକ୍ତିକୁ ଦର୍ଶାଉଛି । ଏପରି ସ୍ଥଳରେ ଇଚ୍ଛା ରହିଛି ଯେ ଉତ୍ତର କୋରିଆରେ ଶିଶୁଙ୍କର ଏହି ଭଳି ନାଁ ରଖାଯାଉ ।

କିମଙ୍କ ଅନୁସାରେ ଯେଉଁ ଲୋକମାନେ ଏହି ଆଦେଶକୁ ନମାନିବେ, ସେମାନଙ୍କୁ ଅସମାଜିକ ବୋଲି ବିବେଚିତ କରାଯିବ । କେବଳ ଏତିକି ନୁହେଁ, ଏପରି ଲୋକମାନଙ୍କ ଉପରେ ଆଦେଶ ନମାନିଲେ ଜରିମାନା ମଧ୍ୟ ଲଗାଯିବା ନେଇ ଆଦେଶରେ କୁହାଯାଇଛି । କିମଙ୍କ ଏହି ଅଜବ ଆଦେଶକୁ ପିଲାଙ୍କ ପିତାମାତା ବିରୋଧ କରିଛନ୍ତି । ହେଲେ ଏହାର କୌଣସି ଫରକ୍ ପଡ଼ିନାହିଁ । ନିଜ ନିଷ୍ପତ୍ତିରେ କିମ୍ ଅଟଳ ରହିଛନ୍ତି । ଅଧିକାରୀମାନେ ପିତାମାତାଙ୍କୁ ନିଜ ପିଲାଙ୍କ ନାଁ ବଦଳାଇବା ପାଇଁ ବାରମ୍ବାର ଚାପ ପକାଉଥିବା ମଧ୍ୟ ଖବର ରହିଛି ।