ବରିଷ୍ଠ ନାଗରିକଙ୍କୁ ରେଳଯାତ୍ରାରେ ଦେଇହେବନି ରିହାତି: ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କୁ ରେଳଯାତ୍ରାରେ ଦେଇହେବନି ରିହାତି । ବେତନ ଓ ପେନସନ ଭାର ଅଧିକ ରହୁଥିବାରୁ ବରିଷ୍ଠ ନାଗରିକଙ୍କୁ ରିହାତି ଦେଇହେବନି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଲୋକସଭାରେ ମହାରାଷ୍ଟ୍ରର ସ୍ବାଧୀନ ସାଂସଦ ନବନୀତ ରବିରାଣାଙ୍କ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ କହିଛନ୍ତି, ଗତବର୍ଷ କରୋନା ସମୟରେ ଯାତ୍ରୀସେବା ଲାଗି ୫୯ହଜାର କୋଟି ଟଙ୍କା ସବସିଡି ଦିଆଯାଇଛି । ଯାହାକି କେତେକ ରାଜ୍ୟର ବଜେଟଠାରୁ ମଧ୍ୟ ଅଧିକ । ରେଳବାଇର ବର୍ତ୍ତମାନ ସ୍ଥିତି ଅନୁସାରେ ରିହାତି ଦେଇହେବନି ବୋଲି ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କରୋନା ଆରମ୍ଭ ସମୟରୁ ବରିଷ୍ଠ ନାଗରିକଙ୍କୁ ରେଳରେ ଯାତ୍ରା ପାଇଁ ମିଳୁଥିବା ରିହାତିକୁ ବନ୍ଦ କରିଦେଇଛନ୍ତି କେନ୍ଦ୍ର ସରକାର ।